ଗରିବଙ୍କ ପାଖରେ ପିଇବା ପାଣି ପହଞ୍ଚାଉଛନ୍ତି ‘ମଟକା ମ୍ୟାନ୍’ । ଟୁଇଟ୍ କରି ପ୍ରଂଶସା କଲେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ।

77

କନକ ବ୍ୟୁରୋ: ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସବୁବେଳେ ନିଜର ଦମଦାର ପୋଷ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅଧିକାଂଶ ପୋଷ୍ଟ ସ୍ୱତନ୍ତ୍ର ହୋଇଥିବାବେଳେ, ଅନେକ ଲୋକ ଏହାକୁ ପସନ୍ଦ କରିଥାନ୍ତି । ତାଙ୍କର ଅନେକ ପୋଷ୍ଟରେ ସେ ସାଧାରଣ ଲୋକଙ୍କ ପାଇଁ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ସାମ୍ନାକୁ ଆଣିଥାନ୍ତି । ଯେଉଁଥିପାଇଁ ଆନନ୍ଦ ମହିନ୍ଦ୍ରାଙ୍କ ପୋଷ୍ଟ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାଏ ।

ମଙ୍ଗଳବାର ଆନନ୍ଦ ମହିନ୍ଦ୍ରା ସେପରି ଏକ ଟୁଇଟ୍ କରିଛନ୍ତି । ଯାହାକି ଗଣମାଧ୍ୟମରେ ଚର୍ଚ୍ଚାର କାରଣ ପାଲଟିଛି । ମଙ୍ଗଳବାର ସେ ନିଜର ଟୁଇଟର ଆକାଉଣ୍ଟରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ଗରିବ ଲୋକଙ୍କ ପାଇଁ ରାସ୍ତାରେ ସ୍ୱଚ୍ଛ ପିଇବା ପାଣି ଭର୍ତ୍ତି କରୁଥିବା ଦେଖିବାକୁ ମିଳୁଛି । ତେବେ ତାଙ୍କର ଏପରି ମାନବସେବା ପାଇଁ ଆନନ୍ଦ ମହିନ୍ଦ୍ରା ତାଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ।

ଆନନ୍ଦ ମହିନ୍ଦ୍ରା ଟୁଇଟ୍ କରି ଲେଖିଛନ୍ତି, ଏହି ବ୍ୟକ୍ତିବିଶେଷ ଜଣକ ଜୀବନରେ ବହୁ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଖାଲି ସେତିକି ନୁହେଁ, ସେ କ୍ୟାନସର ଭଳି ରୋଗକୁ ମଧ୍ୟ ହରାଇଛନ୍ତି । ହେଲେ ନିଜର ଜୀବନର ପ୍ରତିଟି ସମସ୍ୟାକୁ ପଛରେ ପକାଇ ସେ ଅନ୍ୟର ସାହାଯ୍ୟ ପାଇଁ ଏବେ ହାତ ବଢାଇଛନ୍ତି । ତେବେ ଏହି ବ୍ୟକ୍ତିଜଣକ କିଏ ସେନେଇ ଏପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ ।

ଆନନ୍ଦ ମହିନ୍ଦ୍ରାଙ୍କ ଏହି ଗୋଟିଏ ମିନିଟର ଭିଡିଓକୁ ଲୋକମାନେ ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଯେଉଁଥିରେ ଜଣେ ବ୍ୟକ୍ତି ବୋଲେରୋ ଗାଡି ଧରି ରାସ୍ତା ଉପରେ ଥିବା ମାଠିଆରେ ସ୍ୱଚ୍ଛ ପାଣି ଭର୍ତ୍ତି କରୁଛନ୍ତି । ତେବେ କିଛି ସମୟ ଭିତରେ ୪ ହଜାରରୁ ଅଧିକ ଲୋକ ଏହି ପୋଷ୍ଟକୁ ଲାଇକ୍ କରିଥିବାବେଳେ, ୪ ଶହରୁ ଅଧିକ ଲୋକ ଏହି ଟୁଇଟକୁ ରି-ଟୁଇଟ୍ କରିଛନ୍ତି ।