ବୋଟ୍ ଦେବେ, ଦୁଃଖ ଦୂରେଇବେ…ଆନନ୍ଦଙ୍କ ଆଖିରେ ପଡିଲା ମାଲକାନଗିରି ଲୋକଙ୍କ କଷ୍ଟ । ଭରା ନଦୀ ପାର କରିବାକୁ ଆଉ ପହଁରିବାକୁ ପଡିବନି, ବୋଟ୍ ଯୋଗାଇଦେବେ ଆନନ୍ଦ ।

544

କନକ ବ୍ୟୁରୋ: ଆନନ୍ଦଙ୍କ ଆଖିରେ ପଡିଲା ମାଲକାନଗିରିର ଦୁଃଖ । ପାଣି ପାରି ହେବାକୁ ଆନନ୍ଦ ଦେବେ ବୋଟ୍ । ସେବା ପାଇଁ ଆଉ ଜୀବନକୁ ବାଜିରେ ଲଗାଇବାକୁ ପଡିବନି । ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ ଆଉ ଗଭୀର ଜଳରେ ପହଁରିବାକୁ ପଡିବନି କି ଭରାନଦୀରେ ଜୀବନକୁ ପାଣି ଛଡାଇ ଲାଉ ତୁମ୍ବାର ସାହାରାରେ ବିପଦପୂର୍ଣ୍ଣ ଯାତ୍ରା କରିବାକୁ ପଡିବନି । ନଦୀ ସେପାରିରେ ସେବା ପହଞ୍ଚାବାକୁ ଅଙ୍ଗନବାଡି ଦିଦିଙ୍କ ଭୟଙ୍କର ଜଳଯାତ୍ରା ଆନନ୍ଦ ମହିନ୍ଦ୍ରାଙ୍କୁ ବ୍ୟଥିତ କରିଛି ଆଉ ସେ ଏକ ବୋଟ ଦେବାକୁ ଘୋଷଣା କରିଛନ୍ତି ।

ତେବେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ରାଲେଗଡା ପଞ୍ଚାୟତର ଦୁଇ ମହିଳା ଅଙ୍ଗନବାଡି କର୍ମୀ ପ୍ରମିଳା ପାନେଲ ଓ ହେମଲତା ଶିଶା ପାଣି ପାର କରି ସବୁଦିନ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚନ୍ତି ।  କରୋନା ପାଇଁ ଯଦିଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ଅଛି ତଥାପି ଲୋକଙ୍କ ପାଖରେ ସେବା, ସୁବିଧା ଯୋଗାଇ ଦେବାକୁ ଭରା ପାଣିରେ ପହଁରି ଯିବାକୁ ପଡେ । କର୍ତ୍ତବ୍ୟ ଆଗରେ ଅଥଳ ପାଣି ଦେଖି କେବେ ଡରି ଯାଇ ନାହାନ୍ତି ପ୍ରମିଳା ଓ ହେମଲତା । ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ସାହସର ସହ ଦୁଇ ମହିଳାଙ୍କ ଏ ଜଳଯାତ୍ରା ଦେଶର ବଡ ଶିଳ୍ପପତି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କୁ ବ୍ୟଥିତ କରିଛି । ଆଉ ଅଙ୍ଗବାଡି ଦିଦିଙ୍କ ଦୁଃଖକୁ ନିଜେ ଅନୁଭବ କରି ସ୍ଥାନୀୟ ଲୋକଙ୍କ ଯାତାୟତ ସୁବିଧା ପାଇଁ ସେ ବୋଟ ଦେବାକୁ କହିଛନ୍ତି । ଖୁବଶୀଘ୍ର ତାଙ୍କ କମ୍ପାନୀ ଅଧିକାରୀ ଏକ ବୋଟ ନେରୁଡପାଲି ଅଞ୍ଚଳରେ ପହଞ୍ଚାଇବେ ବୋଲି ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି ଲେଖିଛନ୍ତି । ଆଉ ଏହି ଘୋଷଣା କରି ମାଲକାନଗିରିବାସୀଙ୍କ ମନ ଜିଣି ନେଇଛନ୍ତି ମହିନ୍ଦ୍ରା ।

ସେପେଟେ କେବଳ ଆଜି ନୁହେଁ ଦୀର୍ଘ ୧୦ ବର୍ଷ ହେବ ଏମିତି ବିପଦପୂର୍ଣ୍ଣ ଜଳ ଯାତ୍ରା କରି ଦୁଇ ଅଙ୍ଗନବାଡି କର୍ମୀ ସେବା ଯୋଗାଇ ଆସୁଛନ୍ତି । ଜୀବନ ଅପେକ୍ଷା ସେବାକୁ ବେଶ ଗୁରୁତ୍ୱ ଦେଉଥିବା ଦୁଇ ମହିଳା କର୍ମକୁ ଭଗବାନ ଭାବିଛନ୍ତି । ପ୍ରମିଳା ସୁଆପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିବା ବେଳେ ହେମଲତା ନେରୁଡପାଲି ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି । ଏହି ଦୁଇଟି ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ହେଲେ ନେରୁଡପାଲି ନାଳ ପାରି ହେବାକୁ ପଡେ । ବର୍ଷା ଦିନେ ସୁଆପାଲୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ନେରୁଡପାଲି ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥାଏ । ଆଉ ଯିବା ଆସିବାରେ ଅସୁବିଧା ହୋଇଥାଏ । ମାତ୍ର ସେବା ଆଗରେ ଭରା ନାଳକୁ ଦେଖି କେବେ ପଛେଇ ଯାଇ ନଥାନ୍ତି ଏହି ଦୁଇ ସାହାସୀ ଅଙ୍ଗନୱାଡି କର୍ମୀ । ଯେତେ ପାଣି ହେଉନା କାହିଁକି ଅଂଟାର ଲାଉ ତୁମ୍ବା ବାନ୍ଧି ପାଣିର ପ୍ରଖର ସ୍ରୋତକୁ କାଟି କାଟି ଲୋକଙ୍କ ପାଖରେ ପହଂଚିଥାନ୍ତି ।

ତେବେ ରାଲେଗଡା ପଞ୍ଚାୟବାସୀଙ୍କ ପକ୍ଷରୁ ସୁଆପାଲୀ ନଦୀରେ ପୋଲଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ହେବା ପରେ ବି ପ୍ରଶାସନ କିମ୍ବା ସରକାରଙ୍କ କାନରେ ପଡୁନି । ଯେଉଁଥିପାଇଁ ନାହିଁ ନଥିବା ଦୁଃଖରେ ହନ୍ତସନ୍ତ ହେଉଛନ୍ତି ଲୋକେ । ସରକାର ସ୍ୱାଭିମାନ ଅଞ୍ଚଳ ସିନା ଘୋଷଣା କରିଦେଲେ ହେଲେ ସୁବିଧା କଥା ପୂରା ପାଶୋରି ଗଲେ । ଯାହାର ଯନ୍ତ୍ରଣା ଏବେ ଏମାନେ ଭୋଗୁଛନ୍ତି ଆଉ ଆଦିବାସୀ ମୁଲକର ମଣିଷଙ୍କ କଷ୍ଟକୁ ବୁଝି ସାହାଯ୍ୟର ହାତ ବଢାଇଛନ୍ତି ଆନ୍ଦନ ମହିନ୍ଦ୍ରା । ଯାହା ବ୍ୟବସ୍ଥାର ବାବୁମାନଙ୍କ କାର୍ଯ୍ୟଶୈଳୀ ଉପରେ ସନ୍ଦେହ ସୃଷ୍ଟି କରିଛି ।