କନକ ବ୍ୟୁରୋ : ଭାରତର ଶେଷ ଦୋକାନ । ସୋସିଆଲ ମିଡ଼ିଆରେ ଦିନ ତମାମ ଏହି ଦୋକାନକୁ ନେଇ ଚର୍ଚ୍ଚା । ଆଉ ଏହି ଦୋକାନକୁ ଚର୍ଚ୍ଚାକୁ ଆଣିଥିବା ବ୍ୟକ୍ତି ହେଉଛନ୍ତି ଆନନ୍ଦ ମହିନ୍ଦ୍ରା । ଆନନ୍ଦ ମହିନ୍ଦ୍ରାଙ୍କ ଗୋଟିଏ ଟ୍ୱିଟ୍ ଏବେ ଭାରତର ଶେଷ ଦୋକାନକୁ ବେଶ ଚର୍ଚ୍ଚିତ କରିଛି । ଖାସକରି ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ୍ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି ।
ଗତ ୮ ତାରିଖ ଦିନ ଆନନ୍ଦ ମହିନ୍ଦ୍ରା ଏକ ଟ୍ୱିଟକୁ ରି-ଟ୍ୱିଟ୍ କରି ଳେଖିଥିଲେ ଯେ, ସେଲଫି ନେବା ପାଇଁ ଏହା ଭାରତର ସବୁଠୁ ଚର୍ଚ୍ଚିତ ସ୍ଥାନ । ଭାରତର ଶେଷ ଦୋକାନ : ଯେଉଁଠି କପେ ଚା’ ପିଇବା ମଧ୍ୟ ବେଶ ମୂଲ୍ୟବାନ । ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟ୍ୱିଟ୍ ପରେ ଟ୍ୱିଟରରେ ଏହି ଦୋକାନକୁ ନେଇ ଆରମ୍ଭ ହୋଇଥିଲା ଫଟୋ ପୋଷ୍ଟ ପ୍ରତିଯୋଗିତା । ଅନେକ ଲୋକ ଏହି ସ୍ଥାନ ସହ ଜଡିତ ସ୍ମୃତିକୁ ନିଜ ପେଜରେ ସେୟାର କରିବା ଆରମ୍ଭ କରିଥିଲେ । ତେବେ ଏହି ଦୋକାନକୁ କାହିଁକି ଭାରତର ଶେଷ ଚା ଦୋକାନ ବୋଲି କୁହାଯାଏ, ସେ ବାବଦରେ ଜାଣିରଖିବା ମଧ୍ୟ ନିତାନ୍ତ ଆବଶ୍ୟକ ।
The Wall. From the Game of the Thrones.. So it does exist…🙂 https://t.co/5up7B3dncI
— anand mahindra (@anandmahindra) February 8, 2022
ଭାରତର ଶେଷ ଚା ଦୋକାନ ଏଥିପାଇଁ କୁହାଯାଏ କାରଣ ଭାରତ-ଚୀନ ସୀମାରେଖାର ଶେଷ ଗାଁର ଶେଷ ପାଶ୍ୱର୍ରେ ଏହି ଚା ଦୋକାନ ଛିଡା ହୋଇଛି । ଆଉ ଏହି ଦୋକାନ ପରେ ଅନ୍ୟ କୌଣସି ଦୋକାନ ନଥିବା ବେଳେ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ମାଣା ଗ୍ରାମରେ ଏହି ଚା ଦୋକାନ ରହିଛି । ଯାହାକୁ ଏବେ ପର୍ଯ୍ୟଟକ ସେଲଫି ପଏଣ୍ଟ କରି ସାରିଲେଣି । ଉତ୍ତରାଖଣ୍ଡକୁ ଆସିଥିବା ପର୍ଯ୍ୟଟକ ଏହିଠାରେ ସେଲଫି ଉଠାଇବାକୁ ବେଶ ପସନ୍ଦ କରୁଛନ୍ତି । ଏହି ଦୋକାନକୁ ଚନ୍ଦେର ସିଂ ବଡୱାଲ ୨୫ ବର୍ଷ ପୂର୍ବେ ଖୋଲିଥିଲେ । ଆଉ ଏହାପରେ ଏହା ଚର୍ଚ୍ଚାକୁ ଆସିଥିଲା । ଲୋକକଥା ରହିଛି, ଏହି ଗାଁ ଦେଇ ପାଣ୍ଡବ ମାନେ ସ୍ୱର୍ଗକୁ ଯାଇଥିଲେ ।