ମାତୃ ଦିବସ ଅବସରରେ ଇଡଲି ଆମ୍ମାଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର । ମାତ୍ର ଗୋଟିଏ ଟ୍ୱିଟରେ ହୋଇଥିଲା ସମ୍ପର୍କ

241

କନକ ବ୍ୟୁରୋ: ମା’ ଗରୀବ ହେଉ କି ଧନୀ ସମସ୍ତଙ୍କ ପାଇଁ ସମାନ । ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଆଉ ତାଙ୍କୁ ସବୁଠୁ ବଡ ପ୍ରତିଦାନ, ଯେଉଁଥିରେ ସଫଳ ହୁଏ ଜୀବନ । ସମାଜକୁ ଏପରି କିଛି ସନ୍ଦେଶ ଦେଇଛନ୍ତି ମହିନ୍ଦ୍ରା ଗ୍ରୁପ୍ ଅଫ୍ କମ୍ପାନୀର ମାଲିକ ତଥା ଜଣାଶୁଣା ବିଜନେସମ୍ୟାନ୍ ଆନନ୍ଦ ମହିନ୍ଦ୍ରା ।

ବିଶାଳ ହୃଦୟର ଅଧିକାରୀ ଆନନ୍ଦ ମହିନ୍ଦ୍ରା । ଏହାର ଅନେକ ପ୍ରମାଣ ପୂର୍ବରୁ ଥିବାବେଳେ ଏବେ ଏହାର ଆଉ ଏକ ପ୍ରମାଣ ଦେଖିବାକୁ ମିଳିଛି । ଏଥର ମାତୃ ଦିବସ ଅବସରରେ ‘ଇଡଲି ଆମ୍ମା’ ଭାବେ ଜଣାଯାଉଥିବା ବୃଦ୍ଧାଙ୍କୁ ଏକ ଖାସ୍ ଉପହାର ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା । ଏହା ଠାରୁ ଆହୁରି ବଡ କଥା ହେଉଛି ଗୋଟିଏ ମାତ୍ର ଟ୍ୱିଟରେ ଆନନ୍ଦ ଏହି ଇଡଲି ଆମ୍ମାଙ୍କ ସହ ସମ୍ପର୍କରେ ବାନ୍ଧି ହୋଇଯାଇଥିଲେ ।

ଆଜି ମାତୃ ଦିବସ ଅବସରରେ ଇଡଲି ଆମ୍ମାଙ୍କୁ ଏକ ଘର ଉପହାର ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା । ଯେଉଁ ମା’ ଗୁଣ, ବ୍ୟବହାର ତଥା ନିଃସ୍ୱାର୍ଥ ସେବାର ଉଦାହରଣ ସେହି ମା’କୁ ସାହାଯ୍ୟ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେକରୁଥିବା ନିଜ ଟ୍ୱିଟରରେ ଲେଖିଛନ୍ତି ଆନନ୍ଦ । ଯେଉଁ ଇଡଲି ଆମ୍ମାଙ୍କ ବିଷୟରେ ଆନନ୍ଦ ଚର୍ଚ୍ଚା କରୁଛନ୍ତି ସେ ହେଉଛନ୍ତି ତାମିଲନାଡୁ କୋଇମ୍ବାଟୁରର ବାସିନ୍ଦା । ତାଙ୍କ ପ୍ରକୃତ ନାଁ ଏମ୍ କମଲାତଲ । ଏଯାଏଁ ସେ ୮୫ରୁ ଅଧିକ ବସନ୍ତ ଦେଖିସାରିଲେଣି ।

କମଲାଙ୍କର ବଡପଣ ହେଉଛି । ସେ ଖାଦ୍ୟ ମାଧ୍ୟମରେ ଲୋକଙ୍କ ସେବା କରିଆସୁଛନ୍ତି । କଥାଟା ଟିକେ ଅସାମନ୍ୟ ଲାଗୁଥାଇପାରେ । କିନ୍ତୁ ଏହା ସତ । ଗରୀବ ତଥା ଦିନମଜୁରିଆ ଶ୍ରେଣୀର ଲୋକଙ୍କୁ କମଲା ମାତ୍ର ୧ ଟଙ୍କାରେ ଗରମାଗରମ ଇଡଲି ଓ ସମ୍ବରର ଥାଳି ପରସିି ଦିଅନ୍ତି । ଗତ ୩ ବର୍ଷ ଧରି ସେ ଅନବରତ ଭାବେ ଏହି କାମ କରିଆସୁଛନ୍ତି ।

ଆନନ୍ଦ ମହିନ୍ଦ୍ରା ଇଡଲି ଆମ୍ମାଙ୍କର ଏକ ଭିଡିଓ ୨୦୧୯ ସେପ୍ଟେମ୍ବର ୧୦ ତାରିଖରେ ସୋସିଆଲ ମିଡିଆରେ ସେୟାର କରିଥିଲେ । ସେତେବେଳେ ଟିକେ ଆଶ୍ୱସ୍ତ କରିବାକୁ ତାଙ୍କୁ କାଠ ଚୁଲା ବଦଳରେ ଏକ ଗ୍ୟାସ ଚୁଲା ଦେବାକୁ ପ୍ରତିଶୃତି ଦେଇଥିଲେ । ଯେତେବେଳେ ତାଙ୍କର କିଛି କର୍ମଚାରୀ ଆମ୍ମାଙ୍କ ପାଖରେ ପହଞ୍ଚିଲେ ଏକ ଘର ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଇଡଲି ଆମ୍ମା । ତାଙ୍କର ଏହି ଇଚ୍ଛାକୁ ପୂରଣ କରିଛନ୍ତି ଆନନ୍ଦ ମହିନ୍ଦ୍ରା ।ମାତୃ ଦିବସ ଅବସରରେ ତାଙ୍କୁ ଏକ ଘର ଉପହାର ଦେଇଛନ୍ତି ।