କନକ ବ୍ୟୁରୋ : ଯେଉଁଠି ଥାଏ ପ୍ରତିଭା, ସେଇଠି ଥାଏ ଆନନ୍ଦ ମହିନ୍ଦ୍ରାଙ୍କ ନଜର । ଗରିବି ଗଳିରୁ ଯେତେବେଳେ ଗୋଟିଏ ଉଦୀୟମାନ ପ୍ରତିଭା ଆଗକୁ ଆସିଥାଏ, ସେତେବେଳେ ଆନନ୍ଦ ମହିନ୍ଦ୍ରା ତାଙ୍କ ପାଇଁ ସିଡି ସଦୃଶ ଛିଡା ହୋଇଥାନ୍ତି । ଆଉ ତାଙ୍କୁ ଉପରକୁ ଉଠିବାକୁ ରାସ୍ତା ଦେଖାନ୍ତି । ଠିକ ଏଭଳି ଘଟଣା ଦେଖିବାକୁ ମିଳିଛି କ୍ରିକେଟ କ୍ଷେତ୍ରରେ । ଭାରତର ୬ ଯୁବ ଉଦୀୟମାନ ଖେଳାଳିଙ୍କୁ କାର ଦେବେ ଭାରତର ବିଶିଷ୍ଟ ଉଦ୍ୟୋଗୀ ଆନନ୍ଦ ମହିନ୍ଦ୍ରା । ଆଉ ଏହି ଖେଳାଳିମାନେ ଦେଶର ଛୋଟିଆ ଗାଁରୁ ଆସି ଭାରତକୁ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ଦେବାରେ ସହାୟତା କରିଛନ୍ତି ।
ଆନନ୍ଦ ମହିନ୍ଦ୍ରା ଯେଉଁ ୬ ଜଣ ଖେଳାଳିଙ୍କୁ କାର ଗିଫ୍ଟ ଦେବେ ସେମାନେ ହେଲେ ଶୁଭମନ ଗିଲ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର, ଟି ନଟରାଜନ, ନବଦୀପ ସାଇନୀ ଓ ସାର୍ଦ୍ଦୁଲ ଠାକୁର । ଏହି ଯୁବ କ୍ରିକେଟରମାନଙ୍କ ମଧ୍ୟରୁ ୫ ଜଣ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ଆଉ ନିଜ ଡେବ୍ୟୁ ମ୍ୟାଚରେ ଏଭଳି ପ୍ରଦର୍ଶନ କରିଥିଲେ ଯେ ସାରା ବିଶ୍ୱ ଚକିତ ହୋଇ ଯାଇଥିଲା । ଖାଲି ସାରା ବିଶ୍ୱ ନୁହେଁ ଏହି ଖେଳାଳି ମାନେ ଆନନ୍ଦ ମହିନ୍ଦ୍ରାଙ୍କ ମନ ମଧ୍ୟ କିଣି ନେଇଥିଲେ । ତେଣୁ ଆନନ୍ଦ ମହିନ୍ଦ୍ରା ଏହି ଖେଳାଳିଙ୍କୁ ‘ମହିନ୍ଦ୍ରା ଥର୍୍ ଏସୟୁଭି’ କାର ଦେବାକୁ ଘୋଷଣା କରିଛନ୍ତି ।
ଗୋଟିଏ ଗରିବ ପରିବାର ଓ ଛୋଟିଆ ଗାଁରୁ ଆସି ଏହି ଖେଳାଳିମାନେ ଯେଉଁ ପ୍ରଦର୍ଶନ କରିଥିଲେ ତାହା ସାରା ବିଶ୍ୱ ଦେଖିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରେ ଏହି ଖେଳାଳିମାନଙ୍କର ଅନେକ ଯୋଗଦାନ ରହିଥିଲା । ଶେଷ ଟେଷ୍ଟ ମ୍ୟାଚରେ ୱାସିଂଟନ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର ଚମତ୍କାର ପାର୍ଟନସିପ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ସେହିପରି ଦ୍ୱିତୀୟ ଇଂନିସରେ ଶୁଭମନ ଗିଲ ୯୧ ରନର ବଡ ପାଳି ଖେଳି ଥିଲେ । ଏହି ଟେଷ୍ଟ ମ୍ୟାଚରେ ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର, ଟି ନଟରାଜନ ଓ ନବଦୀପ ସାଇନି ଆକର୍ଷଣୀୟ ବୋଲିଂ କରି ଦଳକୁ ବିଜୟୀ କରାଇବାରେ ସହାୟତା କରିଥିଲେ । ସବୁଠାରୁ ବଡ କଥା ହେଉଛି ଏହି ମ୍ୟାଚରେ ବିନା ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଦଳକୁ ବିଜୟୀ କରାଇଥିଲେ ।
ଆନନ୍ଦ ମହିନ୍ଦ୍ରାଙ୍କ ପାଇଁ ଏହି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ସୁପର ସିରିଜ ଜିତିଥିବା ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ କିଦମ୍ବିଙ୍କୁ ଟିୟୁଭି ୩୦୦ ଗିଫ୍ଟ ଦେଇଥିଲେ । ଆନନ୍ଦ ମହିନ୍ଦ୍ରାଙ୍କ ଏଭଳି କାମ ପାଇଁ ସେ ଓଡିଶାରେ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲେ । ମାଲକାନଗିରିରେ ନଦୀ ପାର ହେବାକୁ ଲୋକମାନଙ୍କ କଷ୍ଟ ଦେଖି ଆନନ୍ଦ ମହିନ୍ଦ୍ରା ତାଙ୍କୁ ବୋଟ ଦେବେ ବୋଲି କହିଥିଲେ । ଏହାସହ ଗରିବ ଲୋକଙ୍କ ପ୍ରତିଭାକୁ ମଧ୍ୟ ସବୁବେଳେ ସାମ୍ନାକୁ ଆଣିବାକୁ ଚେଷ୍ଟା କରନ୍ତି ଭାରତର ଏହି ବିଶିଷ୍ଟ ଉଦ୍ୟେଗୀ ।