ହ୍ୱିଲ ଚେୟାରରେ ପଡିଲା ହାତଗଣ୍ଠି । ଦିବ୍ୟାଙ୍ଗ ପ୍ରେମିକକୁ ବିବାହ କରି ପିଲାଦିନର ପ୍ରେମକୁ ସଫଳ କଲା ପ୍ରେମିକା

593

କନକ ବ୍ୟୁରୋ : ହ୍ୱିଲ ଚେୟାରରେ ବର, ପାଖରେ ବସିଛି କନିଆଁ । ହୋମନିଆଁକୁ ସାକ୍ଷୀ ରଖି ହୃଦୟ ଦିଆନିଆ ହୋଇଛନ୍ତି ଦୁଇ ପ୍ରେମପକ୍ଷୀ । ଆଉ ସିନ୍ଥିରେ ସିନ୍ଦୂର ଦେଇ ନିଜ ପିଲା ବେଳର ପ୍ରେମକୁ ପାଇଛନ୍ତି ଦିବ୍ୟାଙ୍ଗ ଯୁବକ । ଏଠି ପ୍ରେମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା ଆଉ ହୃଦୟ ହାଟରେ ହୁରି ପଡିଛି ଅନାମିକା ୱେଡ୍ସ ରାହୁଲ ।

ପିଲା ଦିନେ ପ୍ରେମ ସମସ୍ତଙ୍କୁ ହୋଇଥାଏ, ମନ ବି ହଜିଥାଏ । ପ୍ରେମର ପୃଥିବିରେ ପାଦ ଥାଇ ସମସ୍ତେ ଦିୱାନା ହୋଇଥାନ୍ତି… ହେଲେ ପ୍ରେମକୁ ଜୀବନର ଶେଷଯାଏଁ ନେଇ ଯିବାରେ ସମସ୍ତେ ସଫଳ ହୋଇନଥାନ୍ତି । ପ୍ରେମକୁ ସଫଳ କରିବା ପାଇଁ ଧୈର୍ଯ୍ୟ ଦରକାର, ଦରକାର ବି ଅୟୁତେ ଅପେକ୍ଷା । ଆଉ ନିଷ୍ଠାର ସହ ନିଜ ପ୍ରେମକୁ ସଫଳ କରିଛନ୍ତି ଚଣ୍ଡିଗଡର ଏହି ଦୁଇ ପ୍ରେମୀ ଯୁଗଳ । ବାହା ହୋଇ ସାରା ଦୁନିଆ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।

ଋାହୁଲ- ଅନାମିକାଙ୍କ ନିଆରା ବିବାହକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବର୍ଷକ ତଳେ ଏକ ଦୁର୍ଘଟଣାରେ ରାହୁଲ ଶାରୀରିକ ଅକ୍ଷମ ହୋଇପଡିଥିଲେ । ଫଳରେ ସେ ଚଲାବୁଲା କରିପାରିନଥିଲେ । ହ୍ୱିଲ ଚେୟାର ହିଁ ଥିଲା ରାହୁଲଙ୍କ ସାହା ଭରସା । ଏଭଳି ପିରସ୍ଥିତିରେ ପ୍ରେମକୁ ପାଇବାକୁ ଆଗେଇ ଆସିଛନ୍ତି ପ୍ରେମିକା । ଦିବ୍ୟାଙ୍ଗ ରାହୁଲଙ୍କୁ ବିବାହ କରି ତାଙ୍କ ପିଲାଦିନର ପ୍ରେମକୁ ଦୁନିଆ ଆଗରେ ସଫଳ କରିଛନ୍ତି ଅନାମିକା ।

ରାହୁଲ ଓ ଅନାମିକ ପିଲାଦିନରୁ ହିଁ ପରସ୍ପରକୁ ପସନ୍ଦ କରିଥିଲେ । ହେଲେ ରାହୁଲଙ୍କ ଦୁର୍ଘଟଣା ପରେ ତାଙ୍କ ପ୍ରେମ ଉପରକୁ ମାଡି ଆସିଥିଲେ ଏକ ଅଶାନ୍ତ ଝଡ । ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଲୋକ ଅନେକ କଥା କହିଥିଲେ । କିନ୍ତୁ ସେସବୁକୁ ଖାତିର ନକରି ରାହୁଲଙ୍କ ହାତ ଛାଡିନଥିଲେ ଅନାମିକା । ଆଉ ଶେଷରେ ରାହୁଲଙ୍କୁ ବିବାହ କପି ସେ ଖୁସି ଥିବା କହିଛନ୍ତି ।

ଚଣ୍ଡିଗଡର ସ୍ପାଇନାଲ ରିହାବ ସେଣ୍ଟର ଉଭୟଙ୍କ ବିବାହ କରିବାରେ ସାହାଯ୍ୟ କରିଥିଲେ । ବିବାହ ସମୟରେ ହ୍ୱିଲ ଚେୟାରରେ ବସି ବିବାହ କରିଥିଲେ ରାହୁଲ ଆଉ ପ୍ରେମର ସେ ସଫଳ ଯୋଡିକୁ ଦେଖି ଖୁସି ହେଉଥିଲା ଦୁନିଆ ।