ଅର୍ଥନୀତିର ଜଟିଳ ପାଠକୁ ସରଳଭାଷାରେ ବୁଝାଇଲେ କୃଷ୍ଣମୂର୍ତ୍ତି ସୁବ୍ରମଣିଅନ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତ ଶ୍ଳୋକରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ବିଜୟର ଉଦାହରଣ

ବୁଝାଇଲେ ଲକଡାଉନର ଆବଶ୍ୟକତା । ଫୋକସରେ ରହିବ ସ୍ୱାସ୍ଥ୍ୟ

87

କନକ ବ୍ୟୁରୋ: ଗତକାଲି ସଂସଦରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଥିବାବେଳେ ଏହାକୁ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ । ଏଥିରେ ଗତବର୍ଷ ଦେଶର ଅର୍ଥନୀତି କିଭଳି ପ୍ରଦର୍ଶନ କରିଛି, ତାର ସମୀକ୍ଷା କରି ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହା କିଭଳି ପ୍ରଦର୍ଶନ କରିବାର ସମ୍ଭାବନା ରହିଛି ସେନେଇ ଆକଳନ କରାଯାଇଥାଏ । ତେବେ ଅର୍ଥନୀତି ଏକ ଜଟିଳ ପାଠ ହୋଇଥିବାରୁ ଏହାକୁ ରୋଚକ କରିବା ପାଇଁ ମହାଭାରତ ଶ୍ଳୋକରୁ ଆରମ୍ଭ କରି ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଟିମର ଟେଷ୍ଟ ଶ୍ୃଙ୍ଖଳା ବିଜୟ ଯାଏଁ ବିଭିନ୍ନ ଉଦାହରଣ ଦେଇଛନ୍ତି ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତ୍ତା ।

ମହାଭାରତ ଶ୍ଳୋକ

– ମହାଭାରତରେ ଶ୍ଳୋକ ରହିଛି ‘ଆପଦି ପ୍ରାଣ ରକ୍ଷା ଧର୍ମସ୍ୟ ପ୍ରଥମାଂକୁରଃ’ । ଅର୍ଥାତ ସଂକଟରେ ପଡିଥିବା ଜୀବନ ବଂଚାଇବା ହିଁ ଧର୍ମର ମୂଳତ୍ୱ । କରୋନା ମହାମାରୀ ସମୟରେ ଜୀବନ ରକ୍ଷା କରିବାକୁ ନିଆଯାଇଥିବା କଠୋର ଲକଡାଉନ କଟକଣାକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଏହି ଶ୍ଳୋକକୁ ବ୍ୟବହାର କରାଯାଇଛି ।

ଥ୍ରୀ ଇଡିଅଟ୍ସ ଚଳଚ୍ଚିତ୍ର ଦୃଶ୍ୟ

– ଥ୍ରୀ ଇଡିଅଟ୍ସ ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଦରମାର ଅଧିକାଂଶ ଭାଗ କିଭଳି ଚିକିତ୍ସାରେ ଖର୍ଚ୍ଚ ହୋଇଯାଏ ତାହା ଦର୍ଶାଯାଇଛି । ଫଳରେ ଘରର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ତାଙ୍କ ପାଖରେ ଟଙ୍କା ବଳୁନାହିଁ । ଭାରତୀୟ ମାନଙ୍କ ଚିକିତ୍ସାରେ ବ୍ୟୟର ପ୍ରତିଫଳନ ଏହି ଦୃଶ୍ୟରେ ଦେଖିବାକୁ ମିଳିଛି । ତେବେ ଏହି ଦୃଶ୍ୟର ଉଦାହରଣ ଦେଇ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

ଅଷ୍ଟ୍ରେଲିଆ ଟେଷ୍ଟ ବିଜୟ

– କରୋନା ଯୋଦ୍ଧାମାନେ ମହାମାରୀ ବିରୋଧରେ କରିଥିବା ସାହସିକ ଲଢେଇକୁ ସର୍ଭେରେ ପ୍ରଶଂସା କରାଯାଇଛି । ତେବେ ମହାମାରୀ ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଅର୍ଥନୀତି ଇଂରାଜୀ ‘ଭି’ ଅକ୍ଷର ଆକାରରେ ପୁଣି ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର- ଗାଭାଷ୍କର ଟ୍ରଫିରେ ଭାରତୀୟ କ୍ରିକେଚ ଦଳ ଯେଭଳି କଠିନ ପରିସ୍ଥିତିରୁ ବାହାରି ଆସି ଶୃଙ୍ଖଳାବିଜୟ ହାସଲ କଲା ଭାରତୀୟ ଅର୍ଥନୀତି ମଧ୍ୟ ସେହିଭଳି ବାହାରି ଆସିବ ବୋଲି ସର୍ଭେ ରିପୋର୍ଟରେ ଆଶା କରାଯାଇଛି ।

ବାରବେଲ ରଣନୀତି

କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ‘ବାରବେଲ’ ରଣନୀତି ଗ୍ରହଣ କରିଥିଲେ । ଅର୍ଥନୀତିରେ ବାରବେଲ ରଣନୀତି ଅନୁସାରେ ପ୍ରଥମେ ବିଚାର କରାଯାଏ ଯେ, ଫଳାଫଳ ଅତ୍ୟନ୍ତ ଖରାପ ହେବ ଓ ସେହି ଅନୁସାରେ ମୁକାବିଲା ପାଇଁ ପଦକ୍ଷେପ ନିଆଯାଏ । ଠିକ ସେହି ଅନୁସାରେ କରୋନାକୁ ନିୟନ୍ତ୍ରଣରେ ରଖିବା ଲାଗି ବିଭିନ୍ନ ପର୍ଯ୍ୟାୟରେ କଟକଣା ଲାଗୁ କରିଥିଲେ କେନ୍ଦ୍ର ସରକାର । ଆଗୁଆ ଲକଡାଉନ, ସଟଡାଉନ କଟକଣା ଫଳରେ କରୋନା ସଂକ୍ରମଣରେ ସମୟ ଲାଗିଲା ଏବଂ ସେହି ସମୟ ଭିତରେ ମୁକାବିଲା ରଣନୀତି ପ୍ରସ୍ତୁତ ହୋଇପାରିଲା ।