ରାସ୍ତାରେ ଉଡିଲା ପୁଳା ପୁଳା ଟଙ୍କା: ବାଙ୍ଗାଲୋରର ବ୍ୟସ୍ତବହୁଳ ଅଂଚଳର ଫ୍ଲାଏ ଓଭରରୁ ଟଙ୍କା ବର୍ଷା କଲେ ଅଜଣା ଯୁବକ

1,143

କନକ ବ୍ୟୁରୋ: ଫ୍ଲାଏ ଓଭର ଉପରୁ ଟଙ୍କା ବର୍ଷା କଲେ ଯୁବକ । ରାସ୍ତାରେ ଉଡିଲା ପୁଳା ପୁଳା ଟଙ୍କା । ବାଙ୍ଗାଲୋର ବ୍ୟସ୍ତବହୁଳ କେଆର ମାର୍କେଟ ଅଂଚଳରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଫ୍ଲାଏ ଓଭର ଉପରେ ଗାଡିରେ ଆସି ଜଣେ ଯୁବକ ହାତରେ ଧରିଥିବା ଟଙ୍କାମୁଣିରୁ ପୁଳା ପୁଳା ଟଙ୍କା ବାହାର କରି ତଳକୁ ଫୋପାଡିଥିଲେ । ଆଉ ଫ୍ଲାଏ ଓଭର ଉପରୁ ନୋଟ ବର୍ଷା ହେଉଥିବା ଦେଖି ଟଙ୍କା ଗୋଟାଇବାକୁ ଲୋକଙ୍କ ଭିଡ ଜମିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଉଡୁଥିବା ନୋଟକୁ ଧରିବା ପାଇଁ ଲୋକଙ୍କ ମଧ୍ୟରେ ଠେଲା-ପେଲା ଆରମ୍ଭ ହୋଇଯାଇଥିଲା । ଏହି ଦୃଶ୍ୟକୁ କେହିଜଣେ ମୋବାଇଲରେ ସୁଟ କରି ସୋସିଆଲ ମିଡିଆରେ ଛାଡିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ସେପଟେ ନୋଟ ବର୍ଷା କରୁଥିବା ଯୁବକଙ୍କ ପାଖକୁ ଯାଇ କିଛି ବାଇକ ଆରୋହୀ ଟଙ୍କା ମାଗୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଯୁବକ ଜଣକ ୧୦ ଟଙ୍କିଆ ନୋଟର ପ୍ରାୟ ୩ହଜାର ଟଙ୍କା ଉଡାଇଥିବା କୁହାଯାଉଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଲା ବେଳକୁ ନୋଟ ଉଡାଇଥିବା ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଟଙ୍କା ଉଡାଇଥିବା ଯୁବକ କିଏ, ସେ କାହିଁକି ଫ୍ଲାଏ ଓଭର ଉପରୁ ନୋଟ ବର୍ଷା କଲେ ତାହା ଜଣାପଡି ନାହିଁ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବାଙ୍ଗାଲୋରର ବ୍ୟସ୍ତବହୁଳ ଅଂଚଳରେ ଆଇନ ଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗରେ ସେହି ଅଜ୍ଞାତ ଯୁବକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏବେ ଭାଇରାଲ ଭିଡିଓରୁ ସେହି ଯୁବକଙ୍କୁ ଚିହ୍ନଟ କରି ଧରିବାକୁ ଉଦ୍ୟମ ଚଲାଇଛି ବାଙ୍ଗୋଲୋର ପୁଲିସ ।