ଆଦିବାସୀ ଗାଁରେ ଅଜଣା ଜ୍ୱର ଆତଙ୍କ: ଗାଁରେ ପହଂଚି ଜ୍ୱରର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍

98

କନକ ବ୍ୟୁରୋ: ୨୧ ଦିନରେ ୪ ଜଣଙ୍କ ଜୀବନ ନେଲାଣି ଅଜଣା ରୋଗ । ଏବେ ବି ଅନେକ ଲୋକ ଜ୍ୱରରେ ପୀଡ଼ିତ ହୋଇ ମେଡିକାଲ ଭର୍ତିି ହୋଇଛନ୍ତି । ପ୍ରଥମେ ଅବହେଳା ପରେ ଏବେ ଗାଁରେ ପହଂଚି କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ସେବା ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚିକିତ୍ସା ଅଭାବରୁ ଗରିବ ଲୋକ ଏଠି ମୃତ୍ୟୁ ସହ ସଂଗ୍ରାମ କରୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଅଂଚଳରେ ।

ପାହାଡ କୋଳରେ କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକର ନେହେଲା ଗାଁ । ଅନେକ ଅବ୍ୟବସ୍ଥା ଭିତରେ ଆଦିବାସୀ ମଣିଷ । ଏଠିକାର ଲୋକଙ୍କ ଅବସ୍ଥା ଦେଖିଲେ ଅସୁବିଧା ଜଳଜଳ ହୋଇ ଦିଶୁଛି । ଦୁର୍ବଳ ସ୍ୱାସ୍ଥ୍ୟ ସେବା ସାଙ୍ଗକୁ ଶିଶୁ ଓ ମହିଳାମାନଙ୍କ ପୁଷ୍ଟି ସାଧନ ପାଇଁ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ତାହା ଏଠିକାର ଶିଶୁ ଓ ମହିଳାଙ୍କ ଶରୀରକୁ ଦେଖିଲେ, କହିବାର କିଛି ଆବଶ୍ୟକତା ନାହିଁ । ଆଉ ଏବେ ଗାଁ ଲୋକ ଅଭିଯୋଗ କରିଛନ୍ତି, ଗାଁରେ ଅଜଣା ଜ୍ୱର ମାଡୁଛି । ୨୧ ଦିନରେ ୪ ଜଣଙ୍କ ଜୀବନ ନେଇ ସାରିଛି ।

ନେହେଲା ଗାଁ ଗତ ୨୧ ଦିନରେ ଜ୍ୱରରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ୧୦ରୁ ଅଧିକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଅନ୍ଧବିଶ୍ୱାସ ଓ ଅବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା ଯୋଗୁଁ ଜୀବନ ଯାଉଥିବା ଅଭିଯୋଗ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଂଚି ଜ୍ୱରର କାରଣ ଖୋଜୁଛି । ଦୁଇ ଦିନରେ ୭୦ରୁ ଅଧିକ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଭବାନୀପାଟଣା ପଠାଇ ଦେଇଛି ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ର ଦୁର୍ଗମ ଅଞ୍ଚଳ ପାଇଁ କୋଟି କୋଟି ଟଙ୍କାର ସ୍ବାସ୍ଥ୍ୟ ଯୋଜନା ହେଉଛି । ସମନ୍ନିତ ଶିଶୁ ବିଭାଗ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ ଏଠି ସ୍ୱାସ୍ଥ୍ୟ ସେବା ପାଇଁ ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି ।