ଏମିତି ବାହାଘର ଆପଣ ଆଗରୁ କେବେ ଦେଖିନଥିବେ । ମନ୍ଦିରରେ ମାତ୍ର ୧୭ ମିନିଟରେ ସରିଲା ବାହାଘର, ଯୌତୁକରେ ବର ନେଲେ ନିଆରା ଜିନିଷ ।

564

କନକ ବ୍ୟୁରୋ : ନା ଥିଲା ବାଜା ରୋଷଣୀ, ନା ଲୋକଙ୍କ ଗହଳି । କରୋନା କାଳରେ ମାତ୍ର ୧୭ ମିନିଟରେ ହେଲା ବାହାଘର । ଆଉ ଯଉତୁକ ବାବଦକୁ ବର ଯାହା ନେଇଛନ୍ତି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଉତରପ୍ରଦେଶ ପାଟଣାର ଦେବ କଲି ମନ୍ଦିରରେ ।

କରୋନା କାଳରେ ଆମେ ଏମିତି ଅନେକ ବାହାଘର ଦେଖୁଛେ, ଯେଉଁଠି କୋଭିଡ୍ ନିୟମର ଧଜିଆ ଉଡୁଛି । ସାମାଜିକ ଦୂରତା ତ ଦୂରର କଥା, ୨୦୦ରୁ ଅଧିକ ଲୋକ ଏକାଠି ହେଉଥିବା ବେଳେ, କାହାରି ମୁହଁରେ ମାସ୍କ ବି ରହୁନାହିଁ । ଆଉ ଏହାରି ଭିତରେ ଉତରପ୍ରଦେଶର ଏହି ବାହାଘର ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଏହି ବାହାଘରର ଉଦ୍ଦେଶ୍ୟ ଥିଲା, ଯଉତୁକ ପ୍ରଥାକୁ ବନ୍ଦ କରିବା ।

କଲାନ୍ ଥାନା ଅନ୍ତର୍ଗତ ସନାୟ ଗାଁ ନିବାସୀ ପୁଷ୍ପେନ୍ଦ୍ର ଦୁବେ । ପୁଷ୍ପେନ୍ଦ୍ର ଗାଁରେ ଏକ ଶିକ୍ଷା ଅନୁଷ୍ଠାନ ଚଲାନ୍ତି । ତାଙ୍କ ବାହାଘର ପଡୋଶୀ ଏକ ଗାଁର ପ୍ରୀତି ତିୱାରୀଙ୍କ ସହ ଠିକ୍ ହୋଇଥିଲା । ତେବେ କୌଣସି ଯଉତୁକ ନବା ଏବଂ ଧୂମଧାମରେ ଶୋଭାଯାତ୍ରା ସହ ବାହାଘର ପାଇଁ ପ୍ରଥମରୁ ହିଁ ମନା କରିଦେଇଥିଲେ ପୁଷ୍ପେନ୍ଦ୍ର । ଆଉ ନିର୍ଦ୍ଧାରିତ ହୋଇଥିବା ସମୟରେ ମାତ୍ର କିଛିଜଣ ସମ୍ପର୍କୀୟଙ୍କ ଗହଣରେ ଶିବମନ୍ଦିରରେ ଅଗ୍ନିଙ୍କୁ ସାକ୍ଷୀ ରଖି ପ୍ରୀତିଙ୍କୁ ସାତ ଜନମର ସାଥୀ କରିଛନ୍ତି ପୁଷ୍ପେନ୍ଦ୍ର ।

ତେବେ ସବୁଠାରୁ ରୋଚକ ଥିଲା ବାହାଘରର ପ୍ରକ୍ରିୟା । ବର ଓ କନ୍ୟା ମନ୍ଦିରର ସାତ ଥର ପରିକ୍ରମା କରିଥିଲେ, ଏବଂ ମାତ୍ର ୧୭ ମିନିଟ୍ ଭିତରେ ଶେଷ ହୋଇଯାଇଥିଲା ବାହାଘର । ଏହି ନିଆରା ବାହଘରରେ ଆଉ ଏକ ଜିନିଷ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବର ଜଣଙ୍କ ଯଉତୁକ ବାବଦରେ କେବଳ ଏକ ରାମାୟଣ ନେଇଥିଲେ । ସିଏ ବି ପୁଣି ତାଙ୍କ ଶଶୁର ଘର ଲୋକେ ଅତ୍ୟନ୍ତ ବାଧ୍ୟ କରିବାରୁ ।

ପୁଷ୍ପେନ୍ଦ୍ର ଏବଂ ପ୍ରୀତିଙ୍କ କହିବା କଥା, ଯଉତୁକ ନବା ପାପ ଅଟେ । ଅନ୍ୟଯୁବବର୍ଗ ବି ଏହିପରି ଭାବେ ବାହଘରରେ ଅନାବଶ୍ୟକ ଖର୍ଚ୍ଚ ଏବଂ ଯଉଚ୍ଛୁକରୁ ନିବୃତ ରୁହନ୍ତୁ । ତେବେ ପୁଷ୍ପେନ୍ଦ୍ର ଏବଂ ପ୍ରୀତିଙ୍କ ଏହି ପଦେକ୍ଷପକୁ ସମସ୍ତେ ପ୍ରଂଶସା କରୁଛନ୍ତି ।