କନକ ବ୍ୟୁରୋ: ହଜିଯାଇଛି ପୁଅର ଭତା ଟଙ୍କା । ଦିବ୍ୟାଙ୍ଗ ପୁଅକୁ ଟ୍ରାଇସାଇକେଲରେ ବସାଇ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ବୁଲୁଛି ବୁଢା ବାପା । ଆପଣମାନେ ଜାଣି ଆଶ୍ଚାର୍ଯ୍ୟ ହେବେ ୩ ମାସ ଭତା ଟଙ୍କା କୁଆଡେ ଗଲା, ତାହା ହିତାଧିକାରୀ ଜାଣିପାରୁନାହାନ୍ତି କି ପ୍ରଶାସନିକ ଅଧିକାରୀ ଜାଣିପାରୁନାହାନ୍ତି । ତେଣୁ ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଏମିିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି କିଛି ଅଭିଯୋଗ ଆଣିଛନ୍ତି ଦିବ୍ୟାଙ୍ଗ ଯୁବକ ବିଜୟ ସ୍ୱାଇଁ  ।

Advertisment

ବିଜୟଙ୍କ ଘର ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଂଚାୟତର ଅଠତିରା ଗାଁରେ । ରୋଜଗାର କହିଲେ କିଛି ନାହିଁ । ୮୪ ବର୍ଷିୟ ବୁଢ଼ା ବାପାଙ୍କ ସହ ରୁହନ୍ତି ଦିବ୍ୟାଙ୍ଗ ବିଜୟ । ସରକାରଙ୍କ ପକ୍ଷରୁ ମିଳୁଥିବା ଭତା ହିଁ ଏମାନଙ୍କ ବଂଚିବା ପାଇଁ ସାହାରା । ହେଲେ ଗତ ୩ ମାସ ହେଲା ବିଜୟଙ୍କୁ ଭତା ନମିଳିବାରୁ ବହୁ କଷ୍ଟରେ ଚଳୁଛନ୍ତି ଦିବ୍ୟାଙ୍ଗ ବିଜୟ ଓ ବୁଢ଼ା ବାପା । ତେଣୁ ଭତା ଟଙ୍କା ପାଇଁ ଟ୍ରାଇ ସାଇକେଲରେ ପୁଅକୁ ବସାଇ ପଂଚାୟତ ଅଧିକାରୀଙ୍କ ପାଖକୁ ଯାଇଥିଲେ ବାପା । ସେଠି ତାଙ୍କ ଟଙ୍କା ନାହିଁ ବ୍ୟାଙ୍କକୁ ଚାଲିଯାଇଛି କହି ଫେରାଇ ଦେଇଥିଲେ ଅଧିକାରୀ । ସେଠାରୁ ଫେରି ୧୦ କିଲୋମିଟର ବାଟ ଅସ୍ତରଙ୍ଗ ବଜାରରେ ଥିବା ବିଭିନ୍ନ ବ୍ୟାଙ୍କ ବୁଲି ପୁଅର ଭତା ଟଙ୍କା ଖୋଜୁଛନ୍ତି ବାପା । କୌଣସି ବ୍ୟାଙ୍କରୁ ଟଙ୍କା ନପାଇ ଶେଷରେ ନିରାଶ ହୋଇ ଅସ୍ତରଙ୍ଗ ବ୍ଲକରେ ପହଂଚି ନିଜର ଦୁଃଖ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିବା ସେ କହିଛନ୍ତି ।