କନକ ବ୍ୟୁରୋ: ଲକ୍ଷ୍ମଣ ଭୂୟାଁ ତାଙ୍କ ପତ୍ନୀ ଜେଙ୍ଗି ଭୂୟାଁ । ବୟସ ଦୁହିଁଙ୍କୁ ୮୦ ଟପିଲାଣି । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅକୁ ନେଇ ସଂସାର ଗଢ଼ିଥିଲେ । ପିଲାମାନେ ଏବେ ବାହା ହୋଇ ସବୁ ଅଲଗା ରହୁଛନ୍ତି । ଲକ୍ଷ୍ମଣ ଓ ତାଙ୍କ ପତ୍ନୀଙ୍କ ସେବା କରିବା ପାଇଁ ପାଖରେ କେହି ନାହାନ୍ତି । ଘରେ କେବଳ ଉଭୟ ଉଭୟଙ୍କ ଦୁଃଖ କଷ୍ଟରେ ଜୀବନସାଥୀ ପାଲଟି ଜୀବନ ବିତାଉଛନ୍ତି । ଏସବୁ ଦେଖି ମଲା ପରେ କାଳେ କି ସାହା ହେବେ କି ନାହିଁ ସେନେଇ ଲକ୍ଷ୍ମଣ ମୃତ୍ୟୁ ପୂର୍ବରୁ ନିଜ ପାଇଁ ଓ ତାଙ୍କ ପତ୍ନୀଙ୍କ ପାଇଁ କବର ତିଆରି କରିଛନ୍ତି । ଧାନ, ବଗଡ଼ରୁ ଆଦାୟ ହେଉଥିବ କାନ୍ଦୁଲ, ଝୁଡ଼ୁଙ୍ଗ, କାଜୁ ଓ ଦୁଇଟି ଗାଈକୁ ବିକ୍ରି କରି ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ସମାଧି ତିଆରି କରିଛନ୍ତି ।

Advertisment

୨ଟି କବର ଖୋଳିଛନ୍ତି । ଉପରେ ଛାତ କରି ସେଥିରେ ମାର୍ବଲ ଲଗାଯାଇଛି । ପାଖରେ ୨ଟି ସିମେଣ୍ଟ ପ୍ଲେଟ ମଧ୍ୟ ପଡ଼ିଛି । ଏହି ପ୍ଲେଟ ୨ଟିକୁ କବର ଉପରେ ଢ଼ାଙ୍କିବା ପାଇଁ ରଖଯାଇଛି । କବର ସ୍ଥାନରେ ଆହୁରି କିଛି କାମ ବାକି ରହିଥିବାରୁ ଅର୍ଥର ଅଭାବ ରହିଛି । ଅର୍ଥର ଯୋଗାଡ଼ କରି କାମ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖିଛନ୍ତି ଲକ୍ଷ୍ମଣ । ସମୟ ପାଇଲେ ସେ ନିଜେ କବର ସ୍ଥାନ ବୁଲି ଦେଖିବା ସହ ତାହାର ଯତ୍ନ ନେଉଛନ୍ତି । କବର ତିଆରି କରିବାରେ ଗ୍ରାମବାସୀଙ୍କୁ ଭୋଜିଭାତ ମଧ୍ୟ ଦେଇଛନ୍ତି ।

ପାରିବାରିକ ସମସ୍ୟାରେ ଉତ୍ପିଡିତ ହୋଇନଥିଲେ ମଧ୍ୟ, ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ପରିବାରର କାହା ଉପରେ ବୋଝ ନହେବା ପାଇଁ ନିଜ ପାଇଁ ନିଜେ କରିଛନ୍ତି ପୂର୍ବ ପ୍ରସ୍ତୁତି । ପରିବାରର ହିତସାଧନ ପାଇଁ ପିଲାଙ୍କୁ ପାଠପଢ଼ାଇ ମଣିଷ କରିବା ପରେ ଏଭଳି ନିଷ୍ପତି ନେଇଛନ୍ତି ବୃଦ୍ଧ ଦମ୍ପତି ।