କନକ ବ୍ୟୁରୋ : ଚାଷୀଙ୍କ ଦୁଃଖ ଦୂର କରୁଛି ଡ୍ରୋନ୍ । ଚାଷଜମିରେ ସାର ଓ ଔଷଧ ସିଞ୍ଚନ କରୁଛି ଅତ୍ୟାଧୁନିକ ଡ୍ରୋନ୍ । ଯୁବ ଉଦ୍ୟୋଗୀ ରାଜେନ୍ଦ୍ରଙ୍କ ନିଆରା ପ୍ରୟାସ ଚାଷୀଙ୍କ ମୁହଁରେ ଫୁଟାଇଛି ହସ । ସ୍ୱଳ୍ପ ଖର୍ଚ୍ଚରେ ଫସଲକୁ ସୁରକ୍ଷା ଦେବା ସହ ଚାଷୀଙ୍କୁ ଲାଭବାନ କରାଉଛି ରାଜେନ୍ଦ୍ରଙ୍କ ଡ୍ରୋନ୍ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏଣିକି ଚାଷ ଜମି ଭିତରକୁ ଚାଷୀ ମାନଙ୍କୁ ଯାଇ ସାର କିମ୍ବା ଔଷଧ ପକାଇବାକୁ ପଡିବନି । ବିଷାକ୍ତ ପୋକ କାମୁଡିବାର ଭୟ ରହିବନି । ରାସାୟନିକ ସାର କିମ୍ବା ଔଷଧ ଶରୀରରେ ପଡିବାର ଭୟ ବି ରହିବନି। କାରଣ ରାଜେନ୍ଦ୍ରଙ୍କ ଡ୍ରୋନ ଅଳ୍ପ କେଇ ମିନିଟରେ ଏକର ଏକର ଚାଷ ଜମିରେ ସିଞ୍ଚନ କରିପାରୁଛି ସାର ଓ ଔଷଧ। ତାହା ପୁଣି ସ୍ବଳ୍ପ ଖର୍ଚ୍ଚରେ । ଭଦ୍ରକ ଜିଲ୍ଲାର ରାଜେନ୍ଦ୍ର ପ୍ରସାଦ ଦାସ ମେକାନିକାଲ ଇଞ୍ଜିନିୟର । ପାଠ ପଢିବା ଦିନଠୁ ହିଁ କିଛି ନିଆରା କରିବାକୁ ସ୍ବପ୍ନ ଦେଖିଥିଲେ ରାଜେନ୍ଦ୍ର । ଆଉ ଏବେ ନିଜ ସ୍ବପ୍ନ ପୁରା କରିବା ସହ ଚାଷୀଙ୍କ ଦୁଖକୁ ଦୂର କରୁଛନ୍ତି ରାଜେନ୍ଦ୍ର ।
ଦାରୁବ୍ରହ୍ମ ଅଟୋମେସନ ରୋବୋଟିକ୍ସ ଅନୁଷ୍ଠାନ ଗଢି ଡ୍ରୋନ ପ୍ରସ୍ତୁତ କରୁଛନ୍ତି ରାଜେନ୍ଦ୍ର । ଆଖୁ ଚାଷ ସମେତ, ଧାନ ଓ ବିଭିନ୍ନ ପରିବାରେ ଏହି ଡ୍ରୋନ ମାଧ୍ୟମରେ ସାର ଓ ଔଷଧ ସିଞ୍ଚନ କରାଯାଉଛି । ଗୋଟିଏ ସମୟରେ ୫ରୁ ୨୫ ଲିଟର ସାର ଓ ଔଷଧ ନେବାର କ୍ଷମତା ଥିବା ଏହି ଡ୍ରୋନ ଗୋଟିଏ ସମୟରେ ୨ କିଲୋମିଟର ଯାଏ ଯାଇପାରୁଛି । ଏହାର ଦର ୪ ଲକ୍ଷ ଟଙ୍କା ଧାର୍ୟ୍ୟ କରାଯାଇଥିବାବେଳେ ଏହାକୁ ଭଡା ଆକାରରେ ବି ନେଇହେବ ବୋଲି ରାଜେନ୍ଦ୍ର କହିଛନ୍ତି । ଏକର ପିଛା ୩୦୦ ରୁ ୪୦୦ ଟଙ୍କା ଭଡା ନେଉଛନ୍ତି । ଏହି ଡ୍ରୋନ ଉଡାଇବା ପାଇଁ ଜଣେ ପାଇଲଟ ଓ ଜଣେ ସହଯୋଗୀ ପାଇଲଟ ନିୟୋଜିତ ଅଛନ୍ତି ।
ଏହି ନିଆରା ଉଦ୍ୟୋଗ ପାଇଁ ଷ୍ଟାର୍ଟ ଅପ ଓଡିଶା ଓ କିଟ୍ ଟିବିଆଇ ରାଜେନ୍ଦ୍ରଙ୍କୁ ସହଯୋଗର ହାତ ବଢାଇଛି । ଏବେ ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ ଓ ପଶ୍ଚିମ ବଙ୍ଗରେ ଏକର ଏକର ଚାଷ ଜମିରେ ସାର ଓ ଔଷଧ ସିଞ୍ଚନ କରୁଛି ରାଜେନ୍ଦ୍ରଙ୍କ ଡ୍ରୋନ । ଖୁବଶୀଘ୍ର ଘରେ ବସି ଜଣେ ଚାଷୀ ଏହି ଡ୍ରୋନ ସେବା ପାଇପାରିବେ । ବୁକ ୟୋର ଡ୍ରୋନ ଆପ ଜରିଆରେ ଡ୍ରୋନ ବୁକ୍ କଲେ ଏହି ସେବା ଯୋଗାଇବ ଦାରୁବ୍ରହ୍ମ ଅଟୋମେସନ ରୋବୋଟିକ୍ସ ।