ପର କରିଦେଲା ପରିବାର…ଜୀବନ ଯୁଦ୍ଧରେ ଏକା ଏକା ଲଢୁଛନ୍ତି ଦୃଷ୍ଟିହୀନ ରବିନ୍ଦ୍ର । ପାନ ଦୋକାନଟିଏ କରି ଦୁଃଖ କଷ୍ଟରେ ଜୀବନ ଜିଉଁଛନ୍ତି । ଅସ୍ତରଙ୍ଗର ଏହି ଆତ୍ମନିର୍ଭରଶୀଳ କାହାଣୀ ଆପଣଙ୍କୁ ବି କନ୍ଦାଇଦେବ ।

228

ମୁଁ ଦିବ୍ୟାଙ୍ଗ କିନ୍ତୁ ଦୁର୍ବଳ ନୁହେଁ
ମୁଁ ଅସହାୟ କିନ୍ତୁ ଆଶାହୀନ ନୁହେଁ
ଦେଖାନଗଲେ ବି ଦମ୍ଭତା ରଖିଛି
ନିଜେ ନିଜର ଆଶାବାଡ଼ି ସାଜିଛି

କନକ ବ୍ୟୁରୋ : ସେ ଦିବ୍ୟାଙ୍ଗ, ସେ ବେସାହାରା, ସେ ଅସହାୟ । ନା ଅଛି ଆଶାବାଡି, ନା ସାହାରା ଦେବାକୁ ପାଖରେ ଅଛନ୍ତି ପ୍ରିୟପରିଜନ । ପେଟ ପୋଷିବାକୁ ପାନ ଦୋକାନ ହିଁ ସାହାଭରସା । ଏ କାହାଣୀ ହେଉଛି ଅସ୍ତରଙ୍ଗ ବ୍ଲକ୍ ଶିଶୁଅ ଗ୍ରାମର ୪୫ ବର୍ଷୀୟ ରବିନ୍ଦ୍ର ବେହେରାଙ୍କର । ନିଷ୍ଠୁର ବିଧାତା ସିନା ତାଙ୍କୁ ଆଖି ଦେଇନି, କିନ୍ତୁ ପେଟ ପାଇଁ ସେ କାହାରି ପାଖରେ ହାତ ପତାଇନାହାନ୍ତି । ସ୍ତ୍ରୀ ଛାଡ଼ପତ୍ର ଦେଇ ପୁଅକୁ ନେଇ ଚାଲିଯିବା ପରେ ଭାଗ୍ୟକୁ ଭରସି ଏମିତି ଏକା ଏକା ଜୀବନ କାଟୁଛନ୍ତି ।

ଆଖିର ଲୁହକୁ ଓଠରେ ପିଇ ଆଉ ଛାତିର କୋହକୁ ମନରେ ଚାପି ରଖି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ରବିନ୍ଦ୍ର । କେତେବେଳେ ‘ଭାତ ଜାଉ’ ହୋଇଯାଏ ତ ଆଉ କେତେବେଳେ ଜୀବିକାର ତରକାରୀ ପୋଡିଯାଏ । ଆଉ ସେହି ଅଧା ସିଝା, ଆଉ ପୋଡା ଖାଇବା ଖାଇବାକୁ ପଡେ । ହେଲେ ଦିବ୍ୟାଙ୍ଗ ଦରଦକୁ ସହି ଦମ୍ଭତାର ଦେଉଳ ସାଜିଛନ୍ତି ରବିନ୍ଦ୍ର ।

ସକାଳ ହେଲେ ସବୁ ନିତ୍ୟକର୍ମ ଶେଷ କରି ଆଶା ବାଡିକୁ ଆଶ୍ରା କରି ଘରଠାରୁ ୧ କିଲୋମିଟର ଦୂରରେ ଥିବା ନିଜ ପାନ ଦୋକାନକୁ ଯାଆନ୍ତି ରବିନ୍ଦ୍ର । ଦୃଷ୍ଟିହୀନ ହୋଇ ବି ବିଭିନ୍ନ ମନ ପସନ୍ଦର ମସଲା ପକାଇ ସେ ବେଶ୍ ସୁଆଦିଆ ପାନ ଭାଙ୍ଗନ୍ତି । ଆଉ ରବିନ୍ଦ୍ରଙ୍କ ପାଖରୁ ପାନ ଖଣ୍ଡେ ଖାଇବା ପାଇଁ ଲୋକମାନେ ମଧ୍ୟ ବେଶ୍ ଭଲ ପାଆନ୍ତି ।

ଦୁଃଖ କଷ୍ଟରେ ହେଉପଛେ, ରବିନ୍ଦ୍ରଙ୍କ ଜୀବନ ଏମିତି ବିତିଚାଲିଥିଲା । କିନ୍ତୁ ଦଇବ ଦାଉ ସାଧିଲା ପରି କରୋନା ମହାମାରୀ ରବିନ୍ଦ୍ରଙ୍କ ଜୀବନରେ ନେଇଆସିଲା ଦୁଃଖର ଝଡ । ପାନ ଭାଙ୍ଗି ଏମିତି କେତେ ଟଙ୍କା ଯେ, ସେ ସଂଚୟ କରିଥିବେ । ଯାହାବି ଟଙ୍କା ଥିଲା ସବୁ ସରିଯାଇଛି । ଏବେ ଦୋକାନ ଖୋଲିଥିଲେ ବି ନା ଗ୍ରାହକ ଆସୁଛନ୍ତି, ନା ବେପାର ହେଉଛି । ଓଳିଏ ଖାଇଲେ ଓଳିଏ ପେଟରେ ଓଦା କନା ପଡୁଛି । ଭଙ୍ଗା ଚାଳଛପର ଘରେ ଗଛ ଉଠିଗଲାଣି, କିନ୍ତୁ ନୂଆ ଛପର ହୋଇପାରୁନି ।

ଅଭାବ ଅନଟନ ଭିତରେ ଜୀବନ ଜିଉଁଥିଲେ ବି ରବିନ୍ଦ୍ରଙ୍କ ପାଖରେ ନା ସରକାରୀ ସହାୟତା ପହଂଚିଛି, ନା ପ୍ରଶାସନ ତାଙ୍କ ଦୁଃଖ ବୁଝୁଛି । ଦିବ୍ୟାଙ୍ଗ ଭତ୍ତା ବାବଦକୁ ମାତ୍ର ୭ ଶହ ଟଙ୍କା ମିଳୁଥିବା ବେଳେ, ସେହି ଟଙ୍କାରେ କେମିତି ବା ଜଣେ ଚଳିପାରିବ ? ତେଣୁ ରବିନ୍ଦ୍ରଙ୍କୁ ସରକାରୀ ସାହାଯ୍ୟ ମିଳିପାରିଲେ, ଅସ୍ତରଙ୍ଗର ଏହି ଆତ୍ମନିର୍ଭଶୀଳ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ପାଲଟିବ ।