କନକ ବ୍ୟୁରୋ: ମଧ୍ୟପ୍ରଦେଶର ମୋରାନାରେ ବିମାନ ଦୁର୍ଘଟଣା ଘଟିଛି । ଭାରତୀୟ ବାୟୁସେନାର ଦୁଇଟି ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଛି । ସୁଖୋଇ-୩୦ ଓ ଏକ ମିରାଜ ୨୦୦୦ ବିମାନ ଦୁର୍ଘଟଣାର ଶିକାର ହୋଇ ଖସିପଡ଼ିଛି । ଏଥିରେ ଜଣେ ପାଇଲଟ୍ ସହିଦ ହୋଇଥିବା ବେଳେ ୨ ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ତେବେ କେମିତି ଏହି ଦୁର୍ଘଟଣା ଘଟିଲା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ଅଭ୍ୟାସ ବେଳେ ଏପରି ଘଟିଥିବା କୁହାଯାଉଛି । ହୁଏତ ଦୁଇ ବିମାନ ମଧ୍ୟରେ ଧକ୍କା ଘଟି ଏପରି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି ।

Advertisment

ଗ୍ୱାଲିୟର ଏୟାରବେସରୁ ଏହି ଦୁଇ ବିମାନ ଉଡ଼ାଣ ଆରମ୍ଭ କରିଥିଲେ । ହେଲେ କିଛି ସମୟ ପରେ ଦୁର୍ଘଟଣାର ଖବର ମିଳିଥିଲା । ସୁଖୋଇରେ ଥିବା ଦୁଇ ଜଣ ପାଇଲଟଙ୍କୁ ଉଦ୍ଧାର କରାଯାଇଛି । ତେବେ ମିରାଜରେ ଥିବା ପାଇଲଟ ଜଣକ ଗମ୍ଭୀର ଭାବେ ଆହତ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ସମ୍ପୃକ୍ତ ପାଇଲଟ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଦୁର୍ଘଟଣା ନେଇ ବାୟୁସେନା ମୁଖ୍ୟଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେହିପରି ସିଡିଏସ୍ ଅନୀଲ ଚୌହ୍ୱାନ ମଧ୍ୟ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବାୟୁସେନା ନିର୍ଦ୍ଦେଶ ଦେଇଛି । ସେପଟେ ରାଜସ୍ଥାନର ଭରତପୁରରେ ଏକ ଚାଟାର୍ଡ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏଠାରେ କ’ଣ କ୍ଷୟକ୍ଷତି ହୋଇଛି, ଜଣାପଡ଼ିନାହିଁ ।