କନକ ବ୍ୟୁରୋ: ପାର୍ବଣରେ ଅସମ୍ଭାଳ ଭିଡ । ଭୁବନେଶ୍ୱରରେ ଲାଗୁଛି ଯେମିତି ସାରା ସହର ରାସ୍ତା ଉପରକୁ ଚାଲି ଆସିଛି । ରସୁଲଗଡ଼, ବାଣୀବିହାରରୁ ଶିଶୁ ଭବନ, ଜୟଦେବବିହାରରୁ ପଟିଆ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଆଦି ରାସ୍ତାରେ ପ୍ରବଳ ଜାମ ଦେଖିବାକୁ ମିଳିଛି । ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଭିଡ଼ ନିୟନ୍ତ୍ରଣ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି ।

Advertisment

ପୂଜା ଭିଡ଼ରେ ଫସିଗଲା ଆମ୍ବୁଲାନ୍ସ । ଦଶହରା ପାଇଁ ସବୁଠି ଖଚାଖଚ ଗହଳି ଲାଗି ରହିଥିବା ବେଳେ ଭିଡ ଭିତରେ ଯିବା ଆସିବା ବି ମୁସ୍କିଲ ହୋଇପଡୁଛି । ଆଉ ଏହି ଭିଡ ଭିତରେ ଅଟକି ରହିଛି ଆମ୍ବୁଲାନ୍ସ । ରୋଗୀଙ୍କୁ ନେଇ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଅଧା ରାସ୍ତାରେ ଆମ୍ବୁଲାନ୍ସ ଭିଡ ଭିତରେ ଫସିଯାଇଛି । ବାଣୀବିହାର ରାସ୍ତାରେ ଶହଶହ ଗାଡିି ଟ୍ରାଫିକ୍ ଜାମ୍ କରୁଥିବାରୁ ଆମ୍ବୁଲାନ୍ସ ବି ଅଟକି ଯାଇଛି । ବାଣୀବିହାର ଆଡୁ ଆସୁଥିବା ଆମ୍ବୁଲାନ୍ସର କର୍ମଚାରୀଙ୍କୁ ରସୁଲଗଡ଼ ଅତିକ୍ରମ କରିବାକୁ ନାକେଦମ୍ ହେବାକୁ ପଡିଛି ।

ରାତିରେ ରାଜପଥ ଉପରେ ଗହଳିକୁ ଦେଖିଲେ ଲାଗୁଛି, ପୂଜା ଭିଡକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ଯେଉଁ ଲମ୍ବା ତାଲିକା କରିଥିଲା ତାହା ଏକପ୍ରକାର ଫେଲ ମାରିଛି । ଜାମକୁ ଦେଖି ଟ୍ରାଫିକ ପୋଲିସ ବି ହାତ ଟେକି ଦେଇଛି । ରସୁଲଗଡରୁ ରବି ଟକିଜର ଦୂରତା ମାତ୍ର ୮ କିଲୋମିଟର । କିନ୍ତୁ ସଂଧ୍ୟା ସମୟରେ ୮ ଘଂଟାର ରାସ୍ତା ଅତିକ୍ରମ କରିବାକୁ ଅଢେଇରୁ ୩ ଘଂଟା ସମୟ ଲାଗୁଛି । କେବଳ ଏହି ରାସ୍ତା ନୁହେଁ ବାଣୀବିହାରରୁ ଶିଶୁଭବନ, ଜୟଦେବ ବିହାରରୁ ପଟିଆ, ବରମୁଣ୍ଡାରୁ ପଳାଶୁଣୀ, ଆଚାର୍ଯ୍ୟ ବିହାରରୁ ଏଜି ଛକ ରାସ୍ତାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି ।

ବିଶେଷ କରି ବଡବଡ ପୂଜା ପେଣ୍ଡାଲ ଓ ସପିଂମଲ ଥିବା ରାସ୍ତାରେ ଅଧିକ ଟ୍ରାଫିକ ଜାମ୍ ହେଉଛି । ବିଭିନ୍ନ ସ୍ଥାନରେ ଆମ୍ବୁଲାନ୍ସ ଫସି ରହିବା ସାଧାରଣ କଥା ହୋଇଯାଇଛି । ଜରୁରିକାଳୀନ ଗାଡି ପାଇଁ ବାଟ କରିବା ଲାଗି ପୋଲିସକୁ ବି ନାକେଦମ୍ ହେବାକୁ ପଡିଛି । ସବୁଠାରୁ ବଡକଥା ହେଉଛି ଭିଡ ନିୟନ୍ତ୍ରଣ କରିବାକୁ ମୁତୟନ ପୋଲିସ ଭ୍ୟାନ ମଧ୍ୟ ଗାଡି ଜାମ୍ ଭିତରେ ଦୀର୍ଘ ସମୟ ଅଟକି ରହିଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ କମିସନରେଟ୍ ପୋଲିସର ସଚେତନତା ପ୍ରୟାସ ଆରମ୍ଭ ହୋଇଛି । ଜରୁରୀ କାମ ଥିଲେ କେଉଁ ରାସ୍ତା ଦେଇ ଯିବେ, କେଉଁଠି ଟ୍ରାଫିକ୍ ଜାମ୍ କମ୍ ରହିଛି । ମଣ୍ଡପ ପାଖରେ କେଉଁଠି ପାର୍କିଂ ବ୍ୟବସ୍ଥା ରହିଛି, ସେନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୂଜା ଭିଡ଼କୁ ଦେଖି ଅପରାହ୍ଣ ସାଢେ ୩ଟା ପରେ ରାଜଧାନୀରେ ମୋ ବସ ଗଡ଼ିପାରିବ ନାହିଁ ବୋଲି ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କ୍ରୁଟି କର୍ତୃପକ୍ଷ । ଦିନ ୩ଟା ୩୦ ଯାଏଁ ନିର୍ଦ୍ଧାରିତ ରୁଟରେ ସମୟ ଅନୁସାରେ ମୋ ବସ୍ ଚାଲିବ । ଏହାପରେ ସ୍ଥିତି ଦେଖି ନିଷ୍ପତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

ଟ୍ରାଫିକ ଜାମ୍ ପାଇଁ ମୁଖ୍ୟତଃ ଅମାନିଆ ହିଁ ଦାୟୀ ବୋଲି କୁହାଯାଉଛି । ଲୋକେ ଟ୍ରାଫିକ ନିୟମ ନମାନି ଅଯଥା ଗହଳି କରୁଛନ୍ତି । ପୂଜା ମଣ୍ଡପ ନିକଟରେ ଲୋକେ ରାସ୍ତାରେ ଗାଡି ଅଟକାଇ ଫଟୋ ଉଠାଉଛନ୍ତି । ସେଠାରେ ମୁତୟନ ପୋଲିସ କର୍ମଚାରୀ ଯେତେ କହିଲେ ମଧ୍ୟ ଗାଡି ଆଗକୁ ଗଡାଉ ନାହାନ୍ତି । ରିଲ୍ସ ଜମାନାରେ ଫଟୋ ଓ ଭିଡିଓ କରିବା ଅନେକଙ୍କ ଫ୍ୟାସନ ପାଲଟି ଯାଇଛି । ବିଶେଷ କରି ରାସ୍ତାକୁ ଲାଗି ରହିଥିବା ପୂଜା ପେଣ୍ଡାଲ ଗୁଡିକରେ ସ୍ଥିତି ଅସମ୍ଭାଳ ହେଉଛି ।