ଘରକୁ ଫେରିଲେ ମା’ ଅନପୂର୍ଣ୍ଣା । ୧୦୦ ବର୍ଷ ପୂର୍ବେ ଚୋରି କରି କାନାଡା ନିଆଯାଇଥିଲା ମା’ଙ୍କ ମୂର୍ତ୍ତି ।

82

କନକ ବ୍ୟୁରୋ : ଘରକୁ ଫେରିଲେ ମା’ ଅନପୂର୍ଣ୍ଣା । ଆଉ ତାହା ବି ପୁଣି ଦୀର୍ଘ ୧୦୦ ବର୍ଷ ପରେ । ମୋଦୀ ସରକାରଙ୍କ ପ୍ରୟାସ ଫଳରେ ୧୦୦ ବର୍ଷ ପୂର୍ବେ ବାରଣାସୀ ଚୋରି ହୋଇଥିବା ମା’ ଅନପୂର୍ଣ୍ଣାଙ୍କ ମୂର୍ତ୍ତି କାନାଡାରୁ ଭାରତକୁ ଆସିଛି । ମା’ଙ୍କର ଏହି ମୂର୍ତ୍ତିକୁ ଗୁରୁବାର ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଦାନ କରାଯିବ । ଏହି ମୂର୍ତ୍ତିରେ ମା’ଙ୍କର ଗୋଟିଏ ହାତରେ କ୍ଷୀର ପାତ୍ର ଓ ଅନ୍ୟ ହାତରେ ଚାମଚ ଧରିଥିବାର ଦେଖିବାକୁ ମିଳିଛି । କୁହାଯାଉଛି ୧୯୧୩ ମସିହାରେ କାଶୀ ଘାଟରୁ ଏହି ମୂର୍ତ୍ତିକୁ ଚୋରାଇ ନିଆଯାଇଥିଲା । ଆଉ ଏହାକୁ ପରବର୍ତ୍ତୀ ସମୟରେ କାନାଡା ନିଆଯାଇଥିଲା ।

ମିଳିଥିବା ସୂଚନା ମୁତାବକ, ମା’ ଅନପୂର୍ଣ୍ଣାଙ୍କ ଏହି ମୂର୍ତ୍ତି କାନାଡାର ଏକ ବିଶ୍ୱବିଦ୍ୟାଳୟରେ ରଖାଯାଇଥିଲା । ଏହାକୁ ଭାରତକୁ ଫେରାଇ ଆଣିବାକୁ ମୋଦୀ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଉଥିଲା । ମା’ ଅନପୂର୍ଣ୍ଣାଙ୍କ ଏହି ପ୍ରାଚୀନ ମୂର୍ତ୍ତିକୁ ୧୫ ନଭେମ୍ବର ଦିନ କାଶୀ ବିଶ୍ୱନାଥ ଧାମରେ ପୁଣିଥରେ ସ୍ଥାପିତ କରାଯିବ । ତେବେ ଏହା ପୂର୍ବରୁ ୪ ଦିନ ଦର୍ଶନ ପାଇଁ ମା’ଙ୍କ ମୂର୍ତ୍ତି ରଖାଯିବ ।

ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ଏହି ମୂର୍ତ୍ତିକୁ ଭାରତ ଫେରାଇ ଆଣିବା ବାବଦରେ ସୂଚନା ଦେଇଥିଲେ । ଏହାକୁ କାନାଡାର ଏକ ବିଶ୍ୱବିଦ୍ୟାଳୟରେ ରଖାଯାଇଥିଲା । ତେବେ ଏହି ମୂର୍ତ୍ତି ବାବଦରେ ସେତେବେଳେ ଚର୍ଚ୍ଚା ଆରମ୍ଭ ହେଲା ଯେତେବେଳେ ଏହାକୁ ଏକ ପ୍ରଦର୍ଶନୀରେ ରଖିବାକୁ ଯୋଜନା ହେଉଥିଲା । ଆଉ ଏହି ମୂର୍ତ୍ତିକୁ ଦିବ୍ୟା ମେହେରା ନାମକ କଳାକାର ଦେଖିଥିଲେ । ପରେ ଏନେଇ ସରକାରଙ୍କୁ ଅବଗତ କରିବା ପରେ ଏହି ମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲ । ଆଉ ଶେଷରେ ବିଶ୍ୱବିଦ୍ୟାଳୟରେ ଥିବା ଏହି ମୂର୍ତ୍ତିକୁ ଏବେ ଭାରତକୁ ହସ୍ତାନ୍ତର କରିଛି କାନାଡା ।