ନିଜ ମାଆ ହତ୍ୟାର ସାକ୍ଷୀ ବନିଲା ୪ ବର୍ଷର କୁନିଝିଅ । ଆଖି ସାମ୍ନାରେ ପିଟି ପିଟି ମାରିଦେଲା ସଇତାନ ବାପା

204

କନକ ବ୍ୟୁରୋ: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ । ଦୁର୍ଭାଗ୍ୟର କଥା ୪ ବର୍ଷର କୁନି ଝିଅ ଆଗରେ ଏହି ହତ୍ୟାକାଣ୍ଡ ଘଟିଛି । ମାଆକୁ ପିଟି ପିଟି ବାପା ହତ୍ୟା କରୁଥିବା ଘଟଣାର ସାକ୍ଷୀ ରହିଛି କୁନି ଶିଶୁ । ସ୍ଥିତି ଏମିତି ହୋଇଛି ଯେ ଝିଅଟି ଏବେ ମା ଛେଉଣ୍ଡ ହୋଇଛି, ଆଉ ହତ୍ୟା ଅଭିଯୋଗରେ ବାପାକୁ ଉଠାଇ ନେଇଛି ପୁଲିସ । ଭୁବନେଶ୍ୱର ଦୁର୍ଗାପୁର ପାଟଣା ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା ।

  • ସ୍ୱାମୀ ସାଜିଲା ସଇତାନ
  • ସାକ୍ଷୀ ରହିଗଲା କୁନି ଝିଅ

ମାଆକୁ ଗୋଡାଇ ଗୋଡାଇ ପିଟୁଥିଲା ନୃଶଂସ ବାପା । ଜୀବନ ବଞ୍ଚାଇବା ପାଇଁ ହାତଗୋଡ ଧରି ଯେତେ ନେହୁରା ହେଉଥିଲେ ବି ନୃଶଂସତାର ସବୁ ସୀମା ଟପିଯାଇଥିବା ସଇତାନ ସ୍ୱାମୀ କାନକୁ କିଛି ଶୁଭୁନଥିଲା । ଏସବୁ ନିଜ ଆଖି ଆଗରେ ଘଟିଯାଇଥିଲେ ବି ନିରୁପାୟ ନିରୀହ ଶିଶୁଟି କାନ୍ଦି କାନ୍ଦି ସବୁ କିଛି ଦେଖୁଥିଲା । ମାଆ ସବୁ ଦିନ ପାଇଁ ଆଖି ବୁଜିଦେଲେ । ଆଉ ୪ ବର୍ଷର ଝିଅ ସାକ୍ଷୀ ହୋଇ ରହିଗଲା । ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳ ଦୁର୍ଗାପୁର ପାଟଣା ଅଞ୍ଚଳରେ । ପତ୍ନୀ ଲିଲି ଦାସଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୌଭାଗ୍ୟ ଦାସକୁ ଗିରଫ କରିଛି ପୁଲିସ ।

ପରିବାରର ଅଭିଯୋଗ, ମାନସିକ ବିକୃତ ସୌଭାଗ୍ୟ ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ମାରପିଟ କରୁଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ରକ୍ତମୁଖା ହୋଇଯାଇଥିବା ସୌଭାଗ୍ୟ, ପ୍ରଥମେ ତା ବାପାଙ୍କୁ ଆକ୍ରମଣ କରିଥିଲା । ଜୀବନ ବଞ୍ଚାଇବାକୁ ଯାଇ ଘର ବାହାରକୁ ଦୌଡି ପଳାଇଥିଲେ, ହେଲେ ଆକ୍ରମଣର ଶିକାର ହୋଇଥିଲେ ପତ୍ନୀ ଲିଲି । ମୃତଦେହକୁ ଜବତ କରିବା ସହ ସାଇନଟିଫିକ୍ ଟିମ୍ ଜରିଆରେ ପୁଲିସ ତଦନ୍ତ କରିଛି । ତେବେ କେଉଁ କାରଣରୁ ପତ୍ନୀଙ୍କୁ ହତ୍ୟା କରିଛି ସ୍ୱାମୀ ତାହା ଏବେ ବି ଅସ୍ପଷ୍ଟ ରହିଛି । ଏହାସହ ଅଭିଯୁକ୍ତ ସୌଭାଗ୍ୟକୁ ପୁଲିସ ଗିରଫ କରିଥିବା ବେଳେ ପାରିପାଶ୍ୱିକ ପ୍ରମାଣ ହାତେଇଛି ।