ମୁହଁରେ ମୃଦଙ୍ଗର ସ୍ୱର…ବିନା ବାଦ୍ୟ ଯନ୍ତ୍ରରେ ବାଜୁଛି ବାଜା । ଜଣେ ଗୀତ ଗାଉଛନ୍ତି…ଆଉ ଜଣେ ପାଟି, ଛାତି ଆଉ ହାତରେ ସୁନ୍ଦର ବାଦ୍ୟଯନ୍ତ୍ରର ସ୍ୱର ବଜାଉଛନ୍ତି । ଗରିବ ଗାଁର ଏହି ଦୁଇ ପିଲାଙ୍କ ସୁନ୍ଦର ଗୀତ ଆପଣଙ୍କୁ କିମିଆ କରିଦେବ ।

383

କନକ ବ୍ୟୁରୋ : ମୁହଁରେ ମୃଦଙ୍ଗର ସ୍ୱର । ମୃଦଙ୍ଗରେ ନୁହେଁ ବରଂ ମୁହଁରେ ବାଜୁଛି ବାଜା । ହଁ ଆଜ୍ଞା ବିନା ମୃଦଙ୍ଗରେ ବିନା ତବଲାରେ ଏହି ଦୁଇ ଯୁବକ ସୁନ୍ଦର ତାଳରେ ଲୋକଙ୍କୁ କିମିଆ କରୁଛନ୍ତି । ଜଣେ ଗୀତ ଗାଉଛନ୍ତି, ଏବଂ ଆଉ ଜଣେ ତାଙ୍କ ପାଟି, ଛାତି ଆଉ ହାତର ସାହାଯ୍ୟରେ ସେ ସୁରିଲା ସଙ୍ଗୀତ ବଜାଉଛନ୍ତି । ଆଉ ତାଙ୍କର ଏହି ଶୈଳୀ ଯିଏ ଦେଖୁଛି, ଯିଏ ଶୁଣୁଛି, ସିଏ ଘଡିଏ ଅଟକି ଯାଉଛି ।

ଖୋର୍ଦ୍ଧା କାଇମାଟିଆ ଭୋଇ ସାହିର ଦୁଇ ଯୁବକ ସୁକାନ୍ତ ଭୋଇ ଏବଂ ପବିତ୍ର ଭୋଇ । ବିଧାତା ସିନା ଗରିବ ଘରେ ଜନ୍ମ ଦେଇଛି, କିନ୍ତୁ ଏହି ଦୁଇ ପ୍ରତିଭା ଏବେ ସବୁଆଡେ ଚହଳ ସୃଷ୍ଟି କରିଛନ୍ତି । ଗୀତ ଗାଉଥିବା ସୁକାନ୍ତ ଟେଲରିଂ କରି ପରିବାର ପୋଷୁଥିବା ବେଳେ ପେଟର କ୍ଷୁଧା ଆଉ ଦୁଇ ଧାଡି ପାଠପଢା ପାଇଁ ବାପ ଛେଉଁଣ୍ଡ ପବିତ୍ର ମା’ର ରୋଜଗାରକୁ ଚାହିଁ ବସିଛି ।

ପଙ୍କରୁ ପଦ୍ମ ଫୁଟିଲା ପରି ଗରିବ ଗାଁର ଏହି ଦୁଇ ପ୍ରତିଭା ସମସ୍ତଙ୍କ ମନ ଜିଣିପାରିଛନ୍ତି । କିନ୍ତୁ ବଣମଲ୍ଲୀ ବଣରେ ଫୁଟି ମଉଳିଯିବା ଭଳି ଦାରିଦ୍ର୍ୟ ଆଗରେ ସୁକାନ୍ତ ଏବଂ ପବିତ୍ରଙ୍କ ପତିଭା ଲୁଚିଯାଉଛି । ତେବେ ସରାକାରୀ ସହାୟତା ମିଳିଲେ ଏମାନେ ଆଗକୁ ବଢିପାରିବେ ବୋଲି ଆଶା ରଖିଛନ୍ତି ।