କନକ ବ୍ୟୁରୋ : ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା କାର୍ଯ୍ୟକାରିଣୀ ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକଙ୍କ ସହ ବରିଷ୍ଠ ନେତା ସାମିଲ ହେବେ । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବେଶ ଗୁରତ୍ୱ ବହନ କରୁଛି । ବୈଠକ ପରେ ବିଜେଡି ତାର ସାଂଗଠନିକ କାର୍ଯ୍ୟକ୍ରମକୁ ଆହୁର ଜୋରଦାର କରିବା ନେଇ ଯୋଜନା ପ୍ରସ୍ତୁତ କରିଛି ।
ଆଜିର ବୈଠକରେ ଦଳ ପକ୍ଷରୁ ବଡ଼ ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଛି । ଡିସେମ୍ବର ୨୬ରେ ବିଜୁ ଜନତା ଦଳ ୨୭ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଦଳ । ଦଳର ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କ ନିକଟତର ହେବାକୁ ଦଳୀୟ କର୍ମକର୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନରେ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ମଧ୍ୟ ଉପସ୍ଥାପନ କରାଯିବ । ଶ୍ରୀ ଜଗନ୍ନାଥ ଚେତନା ମୂଳାଧାରରେ ପୂର୍ଣ୍ଣ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶପଥ ନେବାକୁ ଦଳୀୟ କର୍ମକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।