ଟେନିସରେ ଏକ ଯୁଗର ଅବସାନ। ବିଦାୟ ନେଲେ ସ୍ୱିସ୍ ଷ୍ଟାର ଫେଡେରର।

78

କନକ ବ୍ୟୁରୋ: ସରିଗଲା ଟେନିସର ସବୁଠାରୁ ବଡ଼ ଯୁଗ । ନିଜର ପ୍ରିୟ ଖେଳକୁ ଅଲବିଦା କହିଲେ ସ୍ୱିସ୍ ଷ୍ଟାର ରୋଜର ଫେଡେରର । ଟେନିସର ସବୁଠାରୁ ମହାନ ଖେଳାଳି ତଥା ଜେଣ୍ଟଲମ୍ୟାନ୍ ଭାବେ ପରିଚିତ ଫେଡେରରଙ୍କୁ ଆଉ ଟେନିସ୍ ଖେଳୁଥିବାର ଦେଖିବାକୁ ମିଳିବନି । ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ରାଫେଲ ନାଡାଲଙ୍କୁ ସାଥୀ କରି ବିଦାୟୀ ମ୍ୟାଚ୍ ଖେଳିଥିଲେ ଦୁନିଆର ଏହି ସର୍ବଶ୍ରେଷ୍ଠ ଖେଳାଳି । ଲଣ୍ଡନରେ ଖେଳାଯାଇଥିବା ଏହି ମୁକାବିଲାରେ ଫେଡେରର ଓ ନାଡାଲଙ୍କ ସାମ୍ନା ହୋଇଥିଲା ଆମେରିକା ଫ୍ରାନ୍ସେସ ଟିୟାଫୋ ଓ ଜେଫ ସକଙ୍କ ସହ । ଯଦିଓ ଏହି ମ୍ୟାଚରେ ଫେଡେରର ହାରିଯାଇଛନ୍ତି, କିନ୍ତୁ ଏହି ପରାଜୟ ସହ ସେ ଛାଡ଼ି ଯାଇଛନ୍ତି ଅନେକ ସଫଳତା । ମ୍ୟାଚ୍ ପରେ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥଲେ ନାଡାଲ ।

ଲିଭର କପରେ ମ୍ୟାଚ୍ ହାରିବାର ଦୁଃଖ ଯେତିକି ନଥିଲା, ତା’ଠାରୁ ଅଧିକ କଷ୍ଟ ଦେଇଥିଲା ଟେନିସକୁ ଗୁଡବାଏ କହିବା । ଫେଡେରରଙ୍କ ଦୁଃଖରେ ସହଭାଗୀ ହୋଇଥିଲେ ନାଡାଲ । ଟେନିସର ଏହି ଦୁଇ ମହାନ୍ ଖେଳାଳି ହୁଏ କୋର୍ଟରେ ପରସ୍ପରକୁ କଡ଼ା ଟକ୍କର ଦିଅନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ବେଶ୍ ମଜଭୁତ । ସେଥିପାଇଁ ଫେଡେରରଙ୍କ ବିଦାୟରେ ଅଧିକ ଦୁଃଖୀ ହୋଇଥିଲେ ନାଡାଲ । ସେହିପରି ନୋଭାକ ଜୋକୋଭିଚ୍, ଆଣ୍ଡି ମରେ ମଧ୍ୟ ଖୁବ୍ ଭାବବିହ୍ୱଳ ହୋଇଥିଲେ ।

ଫେଡେରରଙ୍କ ବଡ଼ ରେକର୍ଡ
– ସର୍ବାଧିକ ୨୩୭ ସପ୍ତାହ ଧରି ଏଟିପିରେ ଏକ ନମ୍ବର
– ଏକମାତ୍ର ଖେଳାଳି ଭାବେ ଲଗାତାର ୧୦ ଗ୍ରାଣ୍ଡସ୍ଲାମ ଫାଇନାଲ୍ ଖେଳିବାର ରେକର୍ଡ
– ଏକମାତ୍ର ଖେଳାଳି ଭାବେ ତିନିଥର ବର୍ଷର ୪ଟି ଯାକ ଗ୍ରାଣ୍ଡସ୍ଲାମ ଫାଇନାଲ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି
– ୨୦୦୬, ୨୦୦୭, ୨୦୦୯ରେ ଚାରୋଟି ଯାକ ଗ୍ରାଣ୍ଡସ୍ଲାମ ଫାଇନାଲ୍ ଖେଳିଛନ୍ତି
– ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାରେ ତୃତୀୟ ସ୍ଥାନରେ ଅଛନ୍ତି
– ଫେଡେରରଙ୍କ ନାଁରେ ରହିଛି ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ
– ୨୨ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ସହ ନାଡାଲ ପ୍ରଥମ, ୨୧ ଟାଇଟଲ୍ ସହ ଜୋକୋଭିଚ୍ ଦ୍ୱିତୀୟ
– ଦ୍ୱିତୀୟ ଖେଳାଳି ଭାବେ ଟେନିସରେ ସର୍ବାଧିକ ସିଙ୍ଗଲ୍ସ ମ୍ୟାଚ୍ ଜିତିଛନ୍ତି
– ଜିମି କର୍ନର୍ସ ୧୨୭୪ ମ୍ୟାଚ୍, ଫେଡେରର ୧୨୫୧ ମ୍ୟାଚ୍ ଜିତିଛନ୍ତି
– ବୟୋଜ୍ୟେଷ୍ଠ ଖେଳାଳି ଭାବେ ଜିତିଛନ୍ତି ୱିମ୍ବଲଡନ୍ ଟ୍ରଫି
– ୨୦୧୭ରେ ୩୫ ବର୍ଷ, ୩୪୨ ଦିନରେ କରିଥିଲେ ଏହି କାରନାମା
– ଗ୍ରାସ କୋର୍ଟରେ ସର୍ବାଧିକ ୬୫ ଜିତିବାର ରେକର୍ଡ

ସେପ୍ଟେମ୍ବର ୧୫ ତାରିଖରେ ୪୧ ବର୍ଷୀୟ ଫେଡେରର ଟେନିସରୁ ସନ୍ନ୍ୟାସ ଘୋଷଣା କରିଥିଲେ । ୨୪ ବର୍ଷର ଲମ୍ବା କ୍ୟାରିୟରରେ ୧୫୦୦ରୁ ଅଧିକ ମ୍ୟାଚ୍ ଖେଳିଥିବା ଫେଡେରରଙ୍କ ନାଁ ଟେନିସରେ ସର୍ବଦା ଉଚ୍ଚରେ ରହିବ ।