କନକ ବ୍ୟୁରୋ: ଲକ୍ଷ୍ନୌରେ ଜଣେ ୯୦ ବର୍ଷିୟା ବୃଦ୍ଧାଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୂଚନା ମୁତାବକ, ଘଟଣା ସମୟରେ ବୃଦ୍ଧା ଜଣକ ଘରେ ଏକୁଟିଆ ଥିଲେ । ଏକାଧିକ ବ୍ୟକ୍ତି ଆସି ଏପରି ଘଟଣା ଘଟାଇଥିବା ପାରିପାଶ୍ୱିର୍କ ସ୍ଥିତିରୁ ଆଶଙ୍କା କରାଯାଉଛି, ଯାହାର ଯାଞ୍ଚ କରୁଛି ପୁଲିସ । ଏହା ସହ ଏକଥାର ମଧ୍ୟ ପତ୍ତା ଲଗାଉଛି ଯେ, ଏ ବୟସରେ ବୃଦ୍ଧାଙ୍କର କାହା ସହ କି ଶତ୍ରୁତା ହୋଇପାରେ ? କେଉଁ କାରଣ ନେଇ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି ?

Advertisment

ପୁଲିସର କହିବା ଅନୁସାରେ ବୃଦ୍ଧା ରହୁଥିବା ଘରୁ କୌଣସି ଜିନିଷ ଚୋରୀ ହୋଇନାହିଁ । ବୋଧହୁଏ ଜମିଜମା ବ୍ୟାପର ହୋଇଥାଏ ବୋଲି ପୁଲିସ ଆଶଙ୍କା କରୁଛି । କିନ୍ତୁ ଏ କଥା ଏଯାଏଁ ସ୍ପଷ୍ଟ ହୋଇନାହିଁ । କାରଣ ବୃଦ୍ଧାଙ୍କ ଚାରିପୁଅ ବେଶ୍ ଆରାମଦାୟକ ଜୀବନ ବିତାଉଛନ୍ତି । ବଡ ପୁଅ ରମେଶ ନିଜ ପରିବାର ସହ ଲଣ୍ଡନରେ ରହୁଛନ୍ତି । ଦ୍ୱିତୀୟ ପୁଅ ମୁକେଶ ଶର୍ମା ଫରେନସିକ୍ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ, ଯିଏ ଲକ୍ଷ୍ନୌରେ ନିଜ ପରିବାର ସହ ରହୁଛନ୍ତି । ସାନ ଦୁଇ ପୁଅ ମଧ୍ୟ ନିଜ ନିଜ ପରିବାର ସହ ଅଲଗା ଅଲଗା ସ୍ଥାନରେ ରହୁଛନ୍ତି । ଏଭଳି ସ୍ଥଳେ ପ୍ରଶ୍ନ ଉଠୁଛି ପୁଅମାନେ ଏତେ ଭଲରେ ରହୁଥିବାବେଳେ ଏ ବୟସରେ ବୃଦ୍ଧାଜଣକ ଏକା ଏକା କାହିଁକି ରହୁଥିଲେ? ପୁଲିସ ଏହି ପ୍ରଶ୍ନର ଉତ୍ତର ବାହାର କରିବାରେ ଲାଗିପଡିଛି ।