କନକ ବ୍ୟୁରୋ: ନିଜ ଶରୀରରୁ ବଳ ହଟିଲାଣି, ଅଂଟା ଭାଙ୍ଗିଗଲାଣି, ଜୀବନର ସଂଧ୍ୟା ନଇଁ ଆସିଲାଣି। କିନ୍ତୁ ୨ ବର୍ଷିୟ ନାତୀ ଜୀବନର ସତେଜ ସୂର୍ୟ୍ୟଦୋୟ ପାଇଁ ସଂଘର୍ଷ କରୁଛନ୍ତି। ବୟସର ଅପରାହ୍ଣରେ ମୁଲ ଲାଗୁଛନ୍ତି ଜେଜେ, ସ୍କୁଲରେ ପାଚିକା ଭାବେ କାମ କରୁଛନ୍ତି ଜେଜେମାଆ। ସେଥିରେ ଯାହା ରୋଜଗାର ହେଉଛି ପେଟ ପୁରୁନି, ଘର ଛପର କରିବା ବି ସମ୍ଭବ ହେଉନାହିଁ । ଏଭଳି ସ୍ଥିତିରେ କଅଁଳ ଶିଶୁର ଭବିଷ୍ୟତ କଣ ହେବ ତାକୁ ନେଇ ଚିନ୍ତାରେ ପଡିଛନ୍ତି କେନ୍ଦ୍ରାପଡା ମହାକାଳପଡାର ବୃଦ୍ଧ ଦମ୍ପତି।

Advertisment

ବାର୍ଦ୍ଧକ୍ୟର ପରିଣତ ବୟସ, କୋଳରେ ଅବୋଧ ବାଳକ। ମୁଣ୍ଡ ଗୁଂଜିବାକୁ ସାହା ଭରଷା ପାଲଟିଛି କଳାପଲିଥିନ୍ ଜରି ପକା ନୂଆଁଣିଆ ଚାଳଛପର ଘର। ପର ପାଖରେ ମୂଲଲାଗୁଛି ଅଶ୍ରା ଖୋଜୁଥିବା ବୃଦ୍ଧ ବୟସର ମଣିଷ ଜେଜେ। ନିଆଁ ଚୂଲି ପାଖରେ ଜଳି, ପର ପାଇଁ ଆହାର ତିଆରି କରୁଛି ଅଂଟା ସଳଖି ଚାଲି ପାରୁ ନଥିବା ବୃଦ୍ଧା ବୁଢ଼ୀ ମା। ନିଜ ଜୀବନର ସଂଜ ନଇଁବା ପହରକୁ ଅଳ୍ପ ଦୂରରୁ ଦେଖି ପାରୁ ଥିଲେ ବି, କଅଁଳ ଛୁଆର ଆଗାମୀ ଭବିଷ୍ୟତକୁ ମଜବୁତ୍ କରିବାକୁ, ତା ଜୀବନକୁ ସୁନ୍ଦର କରି ଗଢ଼ି ତୋଳିବାକୁ, ପରଳ ପକା ଆଖିରେ, ଅବଶ ଶରୀରରେ, ନିର୍ବଳ ହାତରେ ଆଶା ବାନ୍ଧିଛନ୍ତି ବୃଦ୍ଧ ଦମ୍ପତି।

କେନ୍ଦ୍ରାପଡା ମହାକାଳପଡା ବ୍ଲକ ବଉଳକଣି ପଂଚାୟତର ବୃଦ୍ଧ ଦମ୍ପତି ଭଜ ମାଝୀ ଓ ଦୁଲାରୀ ମାଝୀ। ପୁଅର ମୃତ୍ୟୁ ପରେ ବୋହୂ ଜନ୍ମକଲା ପୁଅକୁ ଛାଡି ଆଉ ଜଣଙ୍କ ସହ ଚାଲିଯାଇଛି। ନାତୀର ଦାୟିତ୍ବ ଏବେ ଏମାନଙ୍କ ଉପରେ।

ଅଭାବି ପରିବାର ପାଇଁ ସରକାରୀ ସହାଯ୍ୟ କହିଲେ ମାତ୍ର ୧୦ କେଜି ଚାଉଳ ମିଳୁଛି। ଏଭଳି ପରିସ୍ଥିତିରେ ନାତିର ପାଠପଢା ସହ ଲାଳନପାଳନ ଦାୟିତ୍ବ ସରକାର ନେବାକୁ ଗୁହାରି କରିଛନ୍ତି ବୃଦ୍ଧ ଦମ୍ପତ୍ତି।