କନକ ବ୍ୟୁରୋ :ଆଜି ସକାଳ ଆସାମରେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସକାଳ ସମୟ ୭.୫୧ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ଥିବା ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସାମ ସୋନିତପୁର ଅର୍ନ୍ତଗତ ଢେକିଆଜୁଲି ନିକଟସ୍ଥ ଭୁଗର୍ଭର ୧୦କିଲୋମିଟର ନିମ୍ନରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ଭୂକମ୍ପ ପ୍ରଭାବରେ ପୂରା ଆସାମ ଥରି ଉଠିଛି ।

Advertisment

ଘରଦ୍ୱାରା ଦୋହଲିବା ସହ ରାସ୍ତାଘାଟ ଭାଙ୍ଗିଯାଇଛି । ଜନସାଧାରଣ ଜୀବନ ବିକଳରେ ଘରୁ ବାହାରି ଦୌଡିବାକୁ ଲାଗିଥିଲେ । କିଛି ଘର, ଦୋକାନ ଘର କ୍ଷୟକ୍ଷତି ହୋଇଛି । ଏପରିକି ପଡୋଶୀ ଦେଶ ନେପାଳ, ଭୁଟାନ,ବାଙ୍ଗଲାଦେଶ ମଧ୍ୟ ଭୁକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଅନ୍ୟପଟେ ଭୂକମ୍ପ ଝଟକାରେ ପଡୋଶୀ ରାଜ୍ୟ ଅରୁଣାଚଳପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର କିଛି ଅଂଚଳରେ ମଧ୍ୟ ଝଟକା ଅନୁଭୂତ ହୋଇଛି ।

ବଡ଼ ଧରଣର ପ୍ରଥମ ଭୂକମ୍ପନ ସଂଘଠିତ ହେବା ପରେ ପରେ ଆଉ ଦୁଇଟି କମ୍ପନ ଅନୁଭୂତ ହୋଇଥିଲା । ଭୂମିକମ୍ପ ପରବର୍ତ୍ତୀ ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା ସକାଳ ପ୍ରାୟ ୭.୫୫ ସମୟରେ। ଏହାର ଅଳ୍ପ କିଛି କ୍ଷଣ ପରେ ସଂଘଠିତ ହୋଇଥିଲା ଦ୍ୱିତୀୟ କମ୍ପନ। ରିକ୍ଟର୍‌ ସ୍କେଲ୍‌ରେ ଏହି ଦୁଇଟି କମ୍ପନର ତୀବ୍ରତା ଥିଲା ଯଥାକ୍ରମେ ୪.୩ ଏବଂ ୪.୪ ।

ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ ଟୁଇଟ୍‌ କରିଛନ୍ତି, ଆସମରେ ବଡ଼ଧରଣର ଭୂମିକମ୍ପ ସଂଘଠିତ ହୋଇଛି । ସମସ୍ତଙ୍କ ମଙ୍ଗଳକାମନା କରି ପ୍ରାର୍ଥନା କରୁଛି ଏବଂ ସତର୍କ ରହିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି। ସବୁ ଜିଲ୍ଲାରୁ ସଦ୍ୟତମ ସୂଚନା ସଂଗ୍ରହ କରୁଛି । ଭୂମିକମ୍ପ ସଂଘଠିତ ହେବାର ଅଳ୍ପ କେଇ ମୁହୂର୍ତ୍ତ ପରେ ଏହାର ପ୍ରଭାବ ବିଷୟରେ ଅବଗତ କରାଇବାକୁ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଭଙ୍ଗା ପାଚେରି ମଧ୍ୟରେ ଅବସ୍ଥିତ ଏକ ଘର ଭିତରର ଭାଙ୍ଗିପଡ଼ିଥିବା କାନ୍ଥର ଫଟୋ ସେୟାର୍‌ କରିଥିଲେ ।