ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ । ଗିରଫ ହେଲେ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ । ରୋଜଗାରଠାରୁ ୨୪୧ ପ୍ରତିଶତରୁ ଅଧିକ ସମ୍ପତ୍ତି ରଖିଥିଲେ ।

71

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଫସିଯାଇଛନ୍ତି କୋଟିପତି ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ। ଭିଜିଲାନ୍‌ସର ଅଧିକାରୀମାନେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ଗିରଫ କରିଛନ୍ତି। ରବୀନ୍ଦ୍ର ନାଥ ନିଜର ଆୟ ତୁଳନାରେ ୨୪୧ ପ୍ରତିଶତରୁ ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍‌ସ ବିଭାଗ ଜାଣିବାକୁ ପାଇଛି। ତାଙ୍କର ୬ କୋଟି ୫୮ ଲକ୍ଷ ୫୮ ହଜାର ୪୫୦ ଟଙ୍କାର ସଂପତ୍ତି ଠାବ ହୋଇଥିବା ବେଳେ ୫ କୋଟି ୭୧ ଲକ୍ଷ ଟଙ୍କାର ସଂପତ୍ତିର ହିସାବ ହୋଇପାରି ନାହିଁ।

ଇଂଜିନିୟର୍‌ ରବୀନ୍ଦ୍ର ନାଥଙ୍କର ନୟାପଲ୍ଲୀ ବେହେରାସାହିରେ ଥିବା ତିନି ମହଲା କୋଠା, ଶାସ୍ତ୍ରୀନଗରରେ ଥିବା ଦୁଇ ମହଲା କୋଠା, ବାଲିଅନ୍ତା ନୂଆଗାଁ-କଞ୍ଚିଲୋ ରାସ୍ତାରେ ଥିବା ଆପାର୍ଟମେଣ୍ଟ, ବାଲିଅନ୍ତା କୁରୁଣ୍ଟିରେ ସମ୍ପର୍କୀୟଙ୍କ ଘର, ଅଫିସ୍‌, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଅଯୋଧ୍ୟାନଗରରେ ଥିବା ପୈତୃକ ଘରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ସଂପତ୍ତି ଠାବ କରିଛନ୍ତି। ଏହାବ୍ୟତୀତ ଶ୍ରୀ ପ୍ରଧାନଙ୍କ ନହରକଣ୍ଟା, ପୋଲସରା, ବୁଗୁଡ଼ା ଓ ଗଂଜାମରେ ୪୩ ଲକ୍ଷ ଟଙ୍କାର ୮ଟି ଜମି, ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ନଗଦ ପ୍ରାୟ ୨୫ ହଜାର ଟଙ୍କା, ୫୪ଗ୍ରାମ ସୁନା ଅଳଙ୍କାର, ଗୋଟିଏ ହ୍ୟୁଣ୍ଡାଇ କ୍ରେଟା ଓ ହୋଣ୍ଡା ଆମାଜେ କାର୍‌ ଥିବା ଭିଜିଲାନ୍‌ସ ଜାଣିବାକୁ ପାଇଛି। ଶେଷ ଖବର ଲେଖା ହେବା ବେଳକୁ ଭିଜିଲାନ୍‌ସ ଶ୍ରୀ ପ୍ରଧାନଙ୍କ ୬ କୋଟି ୫୮ ଲକ୍ଷ ୫୮ ହଜାର ୪୫୦ଟଙ୍କାର ସଂପତ୍ତି ଠାବ କରିଥିଲା

ଭିଜିଲାନ୍‌ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ଜେନେରାଲ ପବ୍ଲିକ ହେଲଥ୍‌(ଜିପିଏଚ୍‌) ଡିଭିଜନ୍‌-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଶ୍ରୀ ପ୍ରଧାନ କାର୍ୟ୍ୟରତଯ ତାଙ୍କ ପୁଅ ରଶ୍ମିତ ରଞ୍ଜନ ପ୍ରଧାନଙ୍କର ଆଫାୟାର ଇନଫ୍ରା ବିଲ୍‌ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାଁରେ ବିଲ୍‌ଡର କମ୍ପାନି ରହିଛି। ଏହି ସଂସ୍ଥା ବାଲିଅନ୍ତା କଞ୍ଚିଲୋ-ନୂଆଗାଁ ରାସ୍ତାରେ ଏକ ଆପାର୍ଟମେଣ୍ଟ ତିଆରି କରୁଛି। ସେହି ଆପାର୍ଟମେଣ୍ଟରେ ୪୮ଟି ୧ ବିଏଚେ୍‌କ ଫ୍ଲାଟ୍‌ ରହିଛି। ଏହି ଫ୍ଲାଟଗୁଡ଼ିକୁ ଲୋକଙ୍କୁ ବିକ୍ରି କରାଯାଇଥିବା ରଶ୍ମିତ ଭିଜିଲାନ୍‌ସ ଆଗରେ କହୁଥିବା ବେଳେ ଏହାର କିନ୍ତୁ କୌଣସି କାଗଜପତ୍ର ସେ ଦେଖାଇ ପାରି ନାହାନ୍ତି। ଏହି ଫ୍ଲାଟଗୁଡ଼ିକର ବଜାର ମୂଲ୍ୟ ୪କୋଟି ୪ ଲକ୍ଷ ଟଙ୍କାରୁ ଊର୍ଧ୍ଵ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ସହକାରୀ ନିର୍ବହୀ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଏହି ଆପାର୍ଟମେଣ୍ଟରେ ବିନିଯୋଗ କରାଯାଇଥିବା ଭିଜିଲାନ୍‌ସ ସନ୍ଦେହ କରି ଅଧିକ ଖୋଳତାଡ଼ ଜାରି ରଖିଛି। ଶାସ୍ତ୍ରୀନଗରରେ ଠାବ ହୋଇଥିବା ଦୁଇ ମହଲା କୋଠାର ମୂଲ୍ୟ ୨୨ଲକ୍ଷ ଟଙ୍କା ହୋଇଥିବା ବେଳେ ନୟାପଲ୍ଲୀ ବେହେରାସାହିରେ ଥିବା ତିନି ମହଲା କୋଠାର ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହିପରି ୭୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ନଗଦ ପ୍ରାୟ ୫୦ହଜାର ଟଙ୍କା, ୫୪ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିବା ବେଳେ ଗୋଟିଏ ହ୍ୟୁଣ୍ଡାଇ କ୍ରେଟା ଓ ହୋଣ୍ଡା ଆମାଜେ କାର ଠାବ ହୋଇଛି।