ଅନ୍ଧାରରୁ ମୁକ୍ତି ପାଇଁ ଅଭିନବ ସୂର୍ଯ୍ୟ: ଇଟାଲିର ଆଦର୍ଶ ବିଗନେଲା ଗାଁ, ଆଲୋକ ଆଣିଲା ସ୍ଥାନୀୟ ବାସିନ୍ଦାଙ୍କ କଠିନ ପରିଶ୍ରମ

151

କନକ ବ୍ୟୁରୋ: କୁହାଯାଏ ଆବଶ୍ୟକତା ହିଁ ଆବିଷ୍କାରର ଜନନୀ । ଏହାକୁ ସତ ପ୍ରମାଣିତ କରିଦେଖାଇଛନ୍ତ ଇଟାଲିର ବିଗନେଲା ଗ୍ରାମବାସୀ । ନିଜ ଗାଁକୁ ଅନ୍ଧାରରୁ ମୁକ୍ତି ଦେବାକୁ ତିଆରି କରିଛନ୍ତି ଆଉ ଏକ ସୂର୍ଯ୍ୟ । କଥାଟା ଅଡୁଆ ଲାଗୁଥିଲେ ବି ସତ ।

ଦୁନିଆଁରେ ଏପରି ଅନେକ ସ୍ଥାନ ଅଛି ଯାହା ଏବେବି ଅନେକଙ୍କ ପାଇଁ ଅଜଣା । ବିଗନେଲା ହେଉଛି ଏପରି ଏକ ଗାଁ ଯାହା ବିଷୟରେ ଖୁବ କମ୍ ଲୋକ ହୁଏତ ଜାଣିଥିବେ । ଏହି ଗାଁ ୩ ମାସ ଅନ୍ଧକାରର ସାମନା କରିଥାଏ । ନଭେମ୍ବରରୁ ଫେବୃଆରି ଶୀତ ମାସ ଏଠାରେ ସୂର୍ଯ୍ୟକିରଣ ଆଦୌ ପଡେ ନାହିଁ । ଚାରିପଟେ ପାହାଡ ଘେରିରହିଥିବାରୁ ଏହି ଗାଁରେ ସୂର୍ଯ୍ୟ କିରଣ ପଡିବା କଷ୍ଟକର । ଫଳରେ ଏହି ୩ ମାସ ଲୋକେ ଦିନ ରାତିର ଫରକ ମଧ୍ୟ ଅନୁଭବ କରିପାରନ୍ତି ନାହିଁ । ସୂର୍ଯ୍ୟ କିରଣ ପଡୁନଥିବାରୁ ଏଠିକାର ଲୋକେ ଅନେକ ପ୍ରକାରର ମାନସିକ ଓ ଶରୀରିକ ସମସ୍ୟା ଭୋଗ କରୁଥିଲେ । ପେଟ ସମସ୍ୟା, ଅନିଦ୍ରା, ଚିଡଚିଡାପଣ, ଚର୍ମରୋଗରେ ଏଠିକାର ଲୋକେ ସଂକ୍ରମିତ ହେଉଥିବା ଦେଖାଯାଉଥିଲା । ଏହାସହ ଲୋକଙ୍କ ମଧ୍ୟରେ ନକାରାତ୍ମକ ଚିନ୍ତା ବଢୁଥିବାରୁ ଅପରାଧ ମଧ୍ୟ ବଢୁଥିବା ଦେଖାଯାଉଥିଲା । ଏଥିରେ ଅତିଷ୍ଠ ଗ୍ରାମବାସୀ ଅନେକ ଦିନର ଚେଷ୍ଟା ପରେ ନିଜ ପାଇଁ ସୃଷ୍ଟି କରିଛନ୍ତି କୃତ୍ରିମ ସୂର୍ଯ୍ୟ । ଗ୍ରାମବାସୀଙ୍କ ଏହି ମନୋବଳକୁ ଦେଖି ସହାୟତାର ହାତ ବଢାଇଛନ୍ତି ସ୍ଥାନୀୟ ମେୟର । ଗ୍ରାମବାସୀଙ୍କ ଚେଷ୍ଟାକୁ ସାକାର ରୂପ ଦେବାକୁ ଯୋଗାଇଛନ୍ତି ଅର୍ଥ ଓ ଟେକ୍ନିସିଆନ୍ ଦଳ ।

୧ଲକ୍ଷ ୟୁରୋ ଖର୍ଚ୍ଚରେ ଗାଁକୁ ଲାଗିରହିଥିବା ପାହାଡରେ ଲଗାଯାଇଛି ଏକ ମିରର ପ୍ୟାନେଲ,ଯାହା ୫ ମିଟର ଲମ୍ବ ଓ ୮ ମିଟର ଚଉଡା । ଏହା ଉପରେ ସୂର୍ଯ୍ୟ କିରଣ ପଡି ପ୍ରତିଫଳିତ ହେଲେ ସାରା ଗାଁ ଆଲାକିତ ହୁଏ । ସୂର୍ଯ୍ୟଙ୍କ ଦିଗ ଆଡକୁ ବୁଲିବାକୁ ମିରରକୁ ଏକ କମ୍ପ୍ୟୁଟର ସହ ସଂଲଗ୍ନ କରାଯାଇଛି । ଏହି ପ୍ରକଳ୍ପ ଏତେ ସହଜ ନହେଲେ ବି ସ୍ଥାନୀୟ ବାସିନ୍ଦାଙ୍କ ଦଅଢ ମନୋବଳ ଏହାକୁ ସଫଳ କରିଛି ବୋଲି କହିଛନ୍ତି ମେୟର ପିୟରଫ୍ରିଙ୍କୋ ମିଡାଲି । ଏବେ ଶୀତ ଦିନରେ ବି ୬ ଘଂଟା ସୂର୍ଯ୍ୟ କିରଣ ପାଇପାରୁଛନ୍ତି ଏଠିକାର ଲୋକେ । ଏହି ଗାଁ ଏବେ ପୁରା ଦେଶ ପାଇଁ ଆଦର୍ଶ ପାଲଟିବା ସହ ଏକ ପର୍ଯ୍ୟଟନସ୍ଥଳି ବି ହୋଇପାରିଛି ।