କନକ ବ୍ୟୁରୋ: ବିଧାନସଭାରେ ଅସୁରକ୍ଷିତ ବିଧାୟିକା? ବିଧାୟିକାଙ୍କ ପାଇଁ ବିପଦ କିଏ? ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଓ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଧାନସଭାରେ ଝଡ ବହୁଥିବାବେଳେ, ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଜଣେ ଜଣେ ବିଧାୟକଙ୍କ ପାଇଁ ବିଧାନସଭାରେ ବିଧାୟିକାମାନେ ନିଜକୁ ଅସୁରକ୍ଷିତ ମନେକରୁଥିବା ଅଭିଯୋଗ କରିଛନ୍ତି । ଶାସକ ଦଳ ବିଧାୟିକାମାନେ, ବିରୋଧୀ ଦଳ ନେତା ଜୟନାରାଣ ମିଶ୍ରଙ୍କ ପାଇଁ ବିଧାନସଭାରେ ନିଜକୁ ଅସୁରକ୍ଷିତ ବୋଲି ଅଭିଯୋଗ କରିଛନ୍ତି । ଏପରିକି ଶାସକ ଦଳ ବିଧାୟିକାମାନେ ବାଚସ୍ପତିଙ୍କୁ ଭେଟି ଅଭିଯୋଗ କରି କହିଛନ୍ତି. ଜୟନାରାୟଣ ଗୃହରେ ରହିଲେ ମହିଳା ସୁରକ୍ଷିତ ନୁହେଁ । ବିଜେଡି ବିଧାୟିକାଙ୍କ ଅଭିଯୋଗ ପରେ ପାଲଟା ଆକ୍ରମଣ କରିଛନ୍ତି ବିଜେପି ବିଧାୟିକା । ଅଭିଯୋଗ କରି କହିଛନ୍ତି, ଶାସକ ଦଳରେ ମାଳମାଳ ବିଧାୟକ ଯୌନ କେଳେଙ୍କାରୀ ଅଭିଯୋଗରେ ସମ୍ପୃକ୍ତ ଅଛନ୍ତି । ସେଥରେ ଚିନ୍ତା କରିବା ଦରକାର ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଜୟନାରାୟଣ ମୁଖର ଥିବାବେଳେ, ମଙ୍ଗଳବାର ବିଜେଡିର ଶୀର୍ଷସ୍ତରର ନେତାଙ୍କ ନାଁ ନେଇଥିଲେ । ଜୟନାରାୟଣଙ୍କ ଅଭିଯୋଗ ପରେ, ଶାସକ ଦଳ ପକ୍ଷରୁ ବିଜେପିର ଶୀର୍ଷ ନେତାଙ୍କୁ ବି ଟାର୍ଗେଟ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନେଇ ସିଧାସଳଖ ଅଭିଯୋଗ କରିଥିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଆଉ ବିଧାନସଭାର ଦ୍ୱିତୀୟ ଦିନରେ, ଶାସକ ଦଳର ବିଧାୟିକାମାନେ ଜୟନାରାୟଣଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ, ବିଜେଡି ନେତାଙ୍କ ଅପରାଧ ଗଣାଇଛନ୍ତି ବିଜେପି ମୁଖପାତ୍ର । ଅନ୍ୟପଟେ ମନ୍ତ୍ରୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି ଜୟନାରାୟଣ । ତେବେ ପୁଣି ଥରେ ଜୟନାରାୟଣଙ୍କୁ ସମାଲୋଚନା କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ବିଧାନସଭାରେ ଆରମ୍ଭ ହୋଇଥିବା ଏହି ନୂଆ ବିବାଦ ଆଗାମୀ ଦିନରେ ଆହୁରି ବଢ଼ିବାର ସମ୍ଭାବନା ରହିଛି । ତେବେ ସତରେ କଣ ବିଧାନସଭାରେ ବିଧାୟିକାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି? ନା ଏହା କେବଳ ରାଜନୈତିକ ବୟାନବାଜି ।
Follow Us