କନକ ବ୍ୟୁରୋ : ବ୍ରାହ୍ମଣୀର ପ୍ରଖର ସୁଅରେ ବିଲୀନ ହୋଇଯିବ ନବମ ଶତାବ୍ଦୀର ପ୍ରାଚୀନ ଅନନ୍ତଶୟନ ପ୍ରସ୍ତର ମୂର୍ତ୍ତି। ଢେଙ୍କାନାଳ ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ ଗାଁ ବ୍ରହ୍ମଣୀ ନଦୀ କୂଳରେ ରହିଛି ଐତିହାସିକ କୀର୍ତ୍ତିରାଜି। ବିରଳ ପ୍ରସ୍ତର ମୂର୍ତ୍ତିର ସୁରକ୍ଷା ପାଇଁ ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଦିନ ଏ ପୀଠଟି ଅତିତ ପାଲଟିଯିବାର ଆଶଙ୍କା ରହିଛି।
ବ୍ରାହ୍ମଣୀ ନଦୀ କୂଳରେ ରହିଛି ୫୧ ଫୁଟ ଲମ୍ବର ଭଗବାନ ବିଷ୍ଣୁଙ୍କ ପ୍ରସ୍ତର ନିର୍ମିତ ଅନନ୍ତଶୟନ ମୂର୍ତ୍ତି। ଐତିହାସିକ କୀର୍ତ୍ତିରାଜିର ମାନ୍ୟତା ବହନ କରୁଥିବା ଏହି ପ୍ରାଚୀନ ମୂର୍ତ୍ତିଟି ଏବେ ଜରାଜୀର୍ଣ୍ଣ ଓ ବିପଦସଂକୁଳ ଅବସ୍ଥାରେ। ବ୍ରାହ୍ମଣୀ ନଦୀ ବାରମ୍ବାର କୂଳ ଖାଇ ସ୍ଥଳଭାଗକୁ ମାଡ଼ି ଆସୁଛି। କୌଣସି ମୁହୂର୍ତ୍ତରେ ନଦୀ ଗର୍ଭରେ ଏମୂର୍ତି ବି ଲୀନ ହୋଇଯିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।
ପ୍ରତ୍ନତତ୍ୱ ବିଭାଗର ଅପାରଗତା ଓ ରକ୍ଷଣାବେକ୍ଷଣ ଅଭାବରୁ ବିପଦ ମୁହଁରେ ବିଷ୍ଣୁଙ୍କ ଅନନ୍ତଶୟନ ମୂର୍ତ୍ତି। ମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ ନଦୀ କୂଳରେ ପାଚେରୀ ନିର୍ମାଣ କରାଯାଇଛି। ହେଲେ ନଦୀ ସ୍ରୋତରେ ପରିବର୍ତ୍ତନ ଯୋଗୁଁ ତାହା ଏବେ ଦୟନୀୟ ଅବସ୍ଥାରେ। ଚାରିପଟେ ଥିବା ଲୁହା ସୁରକ୍ଷା ବାଡ଼ ଭାଙ୍ଗିରୁଜି ଯାଉଛି। ପୂର୍ବତନ ସରକାର ଅନନ୍ତଶୟନ ପୀଠର ସୁରକ୍ଷା, ପ୍ରସ୍ତର ମୂର୍ତ୍ତିର ରକ୍ଷଣବେକ୍ଷଣ, ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ପ୍ରଦାନ କରାଯାଇଛି। ହେଲେ ଏଯାଏଁ କାର୍ଯ୍ୟ ଆରମ୍ଭ ହୋଇନାହିଁ।
ବ୍ରାହ୍ମଣୀ ନଦୀ ସ୍ରୋତରୁ ଅନନ୍ତଶୟନ ପୀଠକୁ ସୁରକ୍ଷା ଦେବା ସହ ପୀଠର ଉନ୍ନତିକରଣ ଉପରେ ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ଦେବା ପାଇଁ ପର୍ଯ୍ୟଟକ ଦାବି କରିଛନ୍ତି।
(ରିପୋର୍ଟ: କାମାକ୍ଷାନଗରରୁ ରାକେଶ ଦେହୁରୀ)