କନକ ବ୍ୟୁରୋ : ମରିଗଲା କି ମାନବିକତା । ଝିଅର ମାଡରେ ୮୦ ବର୍ଷିଆ ବୃଦ୍ଧା ମାଆ ଆହତ । ସାମାନ୍ୟ କଥାକୁ ନେଇ ନିଜ ଜନ୍ମ କଲା ମାଆକୁ ବାଡିରେ ମାଡ ମାରିଛି ଝିଅ । କ୍ୟାମେରାରେ କଏଦ ହୋଇଥିବା ପୁରା ଦୃଶ୍ୟ ମାଆ ଓ ଝିଅର ସଂପର୍କକୁ କଳଙ୍କିତ କରିଛି ।
ପରିଣତ ବୟସରେ ମାଆର ସେବା ସୁଶ୍ରୁଷା କରିବା ବଦଳରେ ଝିଅର ଏପରି ନିଷ୍ଠୁର ଆଚରଣ ସମସ୍ତଙ୍କୁ ଚକିତ କରିଛି । କଟକ ଜିଲ୍ଲା ନିଆଳି ଥାନା ବାହରଣା ପଞ୍ଚାୟତ ବଗଲଗଡ ଗାଁରେ ଦେଖିବାକୁ ମିଳିଛି ଏହି ଅଭିଭାବନୀୟ ଦୃଶ୍ୟ । ଯେଉଁ ମାଆ ଦଶ ମାସ ଗର୍ଭ ଧାରଣ କରି ଝିଅକୁ ଜନ୍ମ ଦେଇଥିଲା । ସେହି ମାଆକୁ ପରିଣତ ବୟସରେ ଝିଅ ଏପରି ମାଡ ମାରିବା ଦୃଶ୍ୟ ସମସ୍ତଙ୍କୁ ଆଘାତ କରିଛି ।
ସୂଚନା ଅନୁସାରେ ବଗଲଗଡ ମୁଦୁଲି ସାହିର ଧରଣୀଧର ମୁଦୁଲି ନିଜ ୮୦ ବର୍ଷିୟ ଶାଶୁଙ୍କୁ ପାଖରେ ଆଣି ରଖିଛନ୍ତି । ହେଲେ କୌଣସି କଥାକୁ ନେଇ ବୃଦ୍ଧା ମାଆ ନଳକୂପରେ ଗାଧୋଇବା ପରେ ଝିଅ ସେଠାରେ ପହଞ୍ଚି ମାଆର ଚୁଟି ଭିଡି ତଳେ ଗଡେଇ ଦେଉଛି । ଏହାପରେ ଏକ ବାଡିରେ ମାଆକୁ ପାହାର ଉପରେ ପାହାର ଦେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।