କନକ ବ୍ୟୁରୋ: ପୁଣି ଧସିଲା ନବନିର୍ମିତ ପାଚେରୀ। ଗତ ମାସରେ ଗଳି ପଡିଥିଲା ଏୟାରପୋର୍ଟ ନିକଟରେ ସ୍ଥାପନ ହୋଇଥିବା ୪୦ଫୁଟ ଉଚ୍ଚତା ବିଶିଷ୍ଟ ହକି ସ୍ମାରକୀ। ଏବେ ମାଟିରେ ମିଶିଲା ୫୦ଫୁଟ ଲମ୍ବ, ୮ ଫୁଟ ଉଚ୍ଚର ପାଚେରି । ଏହାସହିତ ସହରର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ରେ ଲଗାଯାଇଥିବା ପେଭର ବ୍ଲକ ସବୁ ଭାଙ୍ଗି ଯାଇଛି । ଏତିକିରେ ସରିନି ଷ୍ଟାଡିୟମର ଅବ୍ୟବସ୍ଥା । ଷ୍ଟାଡିୟମର ୬ ନମ୍ବର ପ୍ରବେଶ ପଥରେ ବି ଫାଟ ସୃଷ୍ଟି ହୋଇଛି । ରାଉରକେଲା ହକି ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ ଆଳରେ କୋଟିକୋଟି ଟଙ୍କା ହରିଲୁଟ ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଷ୍ଟାଡିୟମରେ କୌଣସି ଅଘଟଣ ଘଟିବା ମାତ୍ରେ ସମ୍ପୃକ୍ତ ସ୍ଥାନକୁ ତୁରନ୍ତ ଘୋଡାଇ ସେଠାରେ ପୁଲିସ ମୁତୟନ କରାଯାଉଛି ।

Advertisment
  • ରାଉରକେଲା ହକି ଷ୍ଟାଡିୟମର ବିକଳ ବ୍ୟବସ୍ଥା
  • ପୂର୍ବରୁ ମୂର୍ତ୍ତି ଭାଙ୍ଗିଥିଲା, ଏବେ ପାଚେରି ଧସିଲା

ସେପଟେ ହକି ସ୍ମାରକୀ ଗଳି ପିଡ଼ିବା, ପାଚେରୀ ଧସିବା ଓ ବିଭିନ୍ନ ସ୍ଥାନରେ ପେଭର ବ୍ଲକ ନଷ୍ଟ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆରଏମସି କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର। କହିଛନ୍ତି ପାଚେରୀ ଧସିନି ବରଂ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ପାଚେରୀ ପୁନଃନିର୍ମାଣ କାମ ହାତକୁ ନିଆଯାଇଛି। ଯେଉଁଠି ତ୍ରୁଟି ଜଣାପଡିବ, ସମ୍ପୃକ୍ତ ଠିକା ସଂସ୍ଥା ଖର୍ଚ୍ଚରେ ସେଠାରେ ପୁଣିଥରେ କାମ କରାଯିବ ।

ଆରଏମସି କମିଶନର ସଫେଇ ଦେଇଥିବା ବେଳେ ସପ୍ତାହକ ପୂର୍ବରୁ ଏହି ପାଚେରୀ ଆପେ ଆପେ ଦବିଯାଇ ପ୍ରାୟ ୩ ଫୁଟ ପଛକୁ ହଟିଯାଇଥିଲା । ଏବଂ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିଲା।