କନକ ବ୍ୟୁରୋ : ପ୍ରଳୟଙ୍କାରୀ ବାତ୍ୟା ଫୋନିକୁ ସଫଳତାର ସହ ମୁକାବିଲା ପାଇଁ ଚାରିଆଡୁ ଉଚ୍ଚ ପ୍ରଂଶସିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ମୁକାବିଲା ପାଇଁ ନବୀନଙ୍କ ଷ୍ଟ୍ରାଟେଜି ଦେଶ ବିଦେଶର ପ୍ରମୁଖ ଗଣମାଧ୍ୟମ ପ୍ରଥମ ପୃଷ୍ଠା ମଣ୍ଡନ କରିଛି । ଏପରିକି ମିଳିତ ଜାତିସଂଘ ପକ୍ଷରୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ନବୀନଙ୍କ ଫର୍ମୁଲାକୁ ମଧ୍ୟ ବେଶ ପ୍ରଂଶସା କରାଯାଇଛି । ସୋସିଆଲ ମିଡିଆରୁ ଆରମ୍ଭ କରି ଗାଁ ଖଟି, ଖବରକାଗଜରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ସବୁଥିରେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଣନୀତିକୁ ଉଚ୍ଚପ୍ରଂଶସା କରାଯାଉଛି । ଏପରିକି ଅନ୍ୟ ମାନେ ଓଡିଶା ସରକାରଙ୍କ ପାଖରୁ ବିପର୍ଯ୍ୟୟ ମୁକାବିଲା ଶିଖିବା ଆବଶ୍ୟକ ବୋଲି ମିଳିତ ଜାତିସଂଘ କହିଥିଲା ।
ଏସବୁ ଭିତରେ ପ୍ରମୁଖ ଦୁଗ୍ଧ ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ଅମୁଲ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ଷ୍ଟ୍ରାଟେଜିକୁ ପ୍ରଂଶସା କରିବାକୁ ଯାଇ ନିଜ ଟ୍ୱିଟର ପେଜରେ ଏକ ପୋଷ୍ଟର ସେୟାର ଦେଇଛି । ଯେଉଁଥିରେ ବାତ୍ୟା ଫୋନି ଆସିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରିବା, ରିଲିଫ୍ ବଣ୍ଟନ ଓ ଉଦ୍ଧାର କାର୍ଯ୍ୟକୁ ବେଶ ପ୍ରଂଶସା କରାଯାଇଛି । ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତ୍ୁତିର ପ୍ରଂଶସା କରିବାକୁ ଏକ ପୋଷ୍ଟର ରିଲିଜ୍ କରିଛି ଅମୁଲ କମ୍ପାନି ।
Thank @Amul_Coop for featuring #Odisha’s effort during #CycloneFani in its iconic ad series. Odisha appreciates. https://t.co/aJRqfOeDQA
— Naveen Patnaik (@Naveen_Odisha) May 6, 2019
ଏହି ପୋଷ୍ଟରରେ ବାତ୍ୟା ଫୋନିର ବିଭୀଷିକା ସହ ଉଦ୍ଧାର କାର୍ଯ୍ୟର ଚିତ୍ର ଦର୍ଶାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅମୁଲ ଗର୍ଲ କିଛି କହୁଥିବାର ଦର୍ଶାଯାଇଛି । ଏହି ପୋଷ୍ଟରର ଟ୍ୟାଗ୍ ଲାଇନ ରହିଛି ସବକୋ ସହି ଓଡିଶା ଦିଖାୟା । ବିପର୍ଯ୍ୟୟ ମୁକାବିଲା ନେଇ ଅନ୍ୟମାନଙ୍କୁ ରାସ୍ତା ଦେଖାଇଛି ଓଡିଶା । ସାଧାରଣତଃ ବିଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା ଲୋକଙ୍କୁ ନେଇ ଅମୁଲ କମ୍ପାନି ଏଭଳି ପୋଷ୍ଟର ପ୍ରସ୍ୁତ କରିଥାଏ ।
ଅମୁଲ କମ୍ପାନି ପକ୍ଷରୁ ଛଡାଯାଇଥିବା ପୋଷ୍ଟରକୁ ସେୟାର କରିବା ସହ କମ୍ପାନିକୁ ଧନ୍ୟବାଦ ଜଣାଇଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଫୋନିର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଥିଲେ ।