ସ୍ୱର୍ଣ୍ଣମନ୍ଦିରରେ ଟିକଟକ୍ ବ୍ୟାନ୍ : ମନ୍ଦିର ପରିସରରେ ଟିକଟକ୍ ଭିଡିଓକୁ ନେଇ ଦେଖାଗଲା ଅସନ୍ତୋଷ , ନୋଟିସ୍ ଲଗାଇଲେ ମନ୍ଦିର ପ୍ରଶାସନ ।  

91

ପଞ୍ଜାବର ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ବ୍ୟାନ୍ ହୋଇଛି ଟିକଟକ୍ । ଏହି ପପୁଲାର୍ ଆପ୍ କୁ ମନ୍ଦିର ଭିତରେ ବ୍ୟବହାର ନ କରିବା ପାଇଁ ନୋଟିସ୍ ଜାରି କରାଯାଇଛି । ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ଶ୍ରୀହରମନ୍ଦିର ସାହିବ୍ (ସ୍ୱର୍ଣ୍ଣ ମନ୍ଦିର) ପରିସର ଭିତରେ ଟିକଟକ୍ ଉପରେ ରୋକ ଲଗାଯାଇଛି । ଶ୍ରୀହରମନ୍ଦିର ସାହିବ୍ ର ମ୍ୟାନେଜର୍ ଜସବିନ୍ଦର୍ ସିଂହ କହିଛନ୍ତି , ଆମେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅପିଲ୍ କରି କହୁଛୁ ଯେ ଏଭଳି ଏକ ପୂଜାସ୍ଥଳରେ ଏଭଳି ବ୍ୟବହାର ପ୍ରଦର୍ଶନ କରନ୍ତୁ ନାହିଁ ।

ଆପଣଙ୍କୁ କହିରଖୁଛୁ ଶୁକ୍ରବାର ଜ୍ଞାନୀ ହରପ୍ରୀତ୍ ସିଂହ କହିଥିଲେ ଶ୍ରଦ୍ଧାଳୁ ଯଦି ମନ୍ଦିର ପରିସରରେ ସେଲ୍ଫି କିମ୍ବା ଟିକଟକ୍ ଭଳି ଭିଡିଓ ପ୍ରସ୍ତୁତ କରିବାରୁ ନିବୃତ ନ ହୁଅନ୍ତି ତେବେ ମୋବାଇଲ୍ କୁ ହିଁ ମନ୍ଦିରରେ ବ୍ୟାନ୍ କରାଯିବ । ସେ କହିଛନ୍ତି , ଆମେ ଚାହୁଁଛୁ ଯେ ଶ୍ରଦ୍ଧାଳୁ ବିନା କୌଣସି ବାଧାରେ ସ୍ୱର୍ଣ୍ଣ ମନ୍ଦିରର ଯାତ୍ରା କରନ୍ତୁ । ଆମେ ମୋବାଇଲ୍ କୁ ନେଇ କୌଣସି ପ୍ରତିବନ୍ଧ ଲଗାଇବାକୁ ଚାହୁଁନାହୁଁ । କିନ୍ତୁ ବର୍ତ୍ତମାନ ଯେଭଳି ଟିକଟକ୍ ଭିଡିଓ ଭଳି ମାମଲା ସାମ୍ନାକୁ ଆସୁଛି ଆଗକୁ ଯଦି ଏଥିରେ କୌଣସି ସୁଧାର ନ ଦେଖାଗଲା ତେବେ ମନ୍ଦିରରେ ମୋବାଇଲ୍ କୁ ବ୍ୟାନ୍ କରିବାକୁ ଆମେ ବାଧ୍ୟ ହେବୁ । ଆପଣଙ୍କୁ କହିରଖୁଛୁ ସ୍ୱର୍ଣ୍ଣ ମନ୍ଦିରରେ ୩ ଜଣ ଯୁବତୀଙ୍କ ପଞ୍ଜାବୀ ଗୀତରେ ଟିକଟକ୍ ଭିଡିଓ ଭାଇରାଲ୍ ହେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା ।