ଏକମୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କ ଆଜି ହେବ ଫୁସଫୁସ୍ ପ୍ରତିରୋପଣ । ଚେନ୍ନାଇର ଏକ ହସ୍ପିଟାଲରୁ ଫୁସଫୁସ୍ ଯୋଗାଡ଼ ପରେ ନିଆଗଲା ଓଟି ।

297

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଏକମୋରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନଙ୍କ ଆଜି ଫୁସ୍‌ଫୁସ୍‌ ପ୍ରତିରୋପଣ ହେବ। ଗତକାଲି ସଂଧ୍ୟାରେ ଚେନ୍ନାଇର ଏକ ହସ୍ପିଟାଲରୁ ଫୁସଫୁସ୍‌ ଯୋଗାଡ଼ କରାଯିବା ପରେ ରାତିରେ ତାଙ୍କୁ ଓଟିକୁ ନିଆଯାଇଛି। ତେଣୁ ସଫଳ ଅସ୍ତ୍ରୋପଚାର ପାଇଁ ଅମ୍ରିତଙ୍କ ଶୁଭେଚ୍ଛୁମାନେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ତାଙ୍କ ପରିବାର ଓ ସାଙ୍ଗ ସାଥୀମାନେ ଅନୁରୋଧ କରିଛନ୍ତି। କିଛି ସାଙ୍ଗ ଦୀପ ଜାଳି ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି।

ଅପରପକ୍ଷେ ଫୁସଫୁସ୍‌ ପ୍ରତିରୋପଣ ପରେ ପରବର୍ତ୍ତୀ ଚିକିତ୍ସା ବାବଦକୁ ଅର୍ଥ ଯୋଗାଡ଼ କରିବା ଏବେ ପରିବାରଲୋକଙ୍କୁ ଚିନ୍ତାରେ ପକାଇଛି। ତେଣୁ ତାଙ୍କ ଭଉଣୀ ମନୀଷା ପ୍ରଧାନ ସୋସିଆଲ ମିଡିଆରେ ଚିକିତ୍ସା ବାବଦ ଅର୍ଥ ପାଇଁ ଓଡ଼ିଶାବାସୀଙ୍କ ସହାୟତା ଲୋଡ଼ିଛନ୍ତି। ସେ କହିଛନ୍ତି ଯେ ଏବେ ସୁଦ୍ଧା କେବଳ ଏକମୋ ଚିକିତ୍ସା ପାଇଁ ୨କୋଟି ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଭଗବାନଙ୍କ ଦୟାରୁ ଫୁସଫୁସ୍‌ ଯୋଗାଡ଼ ହୋଇଥିବାରୁ ଏବେ ଅମ୍ରିତଙ୍କ ବଞ୍ଚିବାର ଆଶା ଉଜ୍ଜୀବିତ ହୋଇଛି। ତେଣୁ ପରବର୍ତ୍ତୀ ଚିକିତ୍ସା ବାବଦକୁ ସହାୟତା କରିବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି।

ତେବେ ସହାୟତା କରିବାକୁ ଚାହୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମନୀଷାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର – ୨୦୦୫୮୬୭୮୭୪୧, (ଆଇଏଫଏସସି କୋର୍ଡ-ଏସବିଆଇଏନ୍୦୦୦୫୪୫୭, ଶାଖା-ଖୋଡ଼ାସିଂ)ରେ ଟଙ୍କ‌ା ପଠାଇ ପାରିବେ।

ସୂଚନାଯୋଗ୍ୟ, କରୋନାରେ ପୀଡ଼ିତ ହୋଇ ଅମ୍ରିତଙ୍କ ଫୁସଫୁସ୍‌ ସଂକ୍ରମିତ ହୋଇଥିଲା। ତାଙ୍କୁ ଏକମୋରେ ଚିକିତ୍ସା କରାଇବା ଜରୁରୀ ହୋଇପଡ଼ିବାରୁ ପରିବାରଲୋକ ଜୁନ୍ ୩ ତାରିଖ ଦିନ ଅମ୍ରିତଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଭୁବନେଶ୍ବର ଏମସରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଚେନ୍ନାଇ ନିଆଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଅମ୍ରିତଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା କରିପାରୁଥିଲେ। କିନ୍ତୁ ଫୁସଫୁସ୍‌ରେ କୌଣସି ପ୍ରକାର ଉନ୍ନତି ଦେଖା ନଦେବାରୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ପରିବାର ଏବଂ ଅମ୍ରିତଙ୍କୁ ହସ୍ପିଟାଲ ପକ୍ଷରୁ କାଉନସେଲିଂ କରାଯାଇଥିଲା।