ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ ପ୍ରଧାନ : କରୋନାରେ ଗୁରୁତର ହେବା ପରେ ଚେନ୍ନାଇରେ ୧୪୧ ଦିନ ଧରି ଚାଲିଥିଲା ଇକମୋ ଚିକିତ୍ସା

ଅକ୍ଟୋବର ୨୪ରେ ହୋଇଥିଲା ଫୁସଫୁସ ପ୍ରତିରୋପଣ

519

କନକ ବ୍ୟୁରୋ : ହଜାର ହଜାର ଶୁଭେଚ୍ଛୁଙ୍କ ଆଶୀର୍ବାଦ, ଶୁଭେଚ୍ଛା ଓ ସହଯୋଗ କାମ କଲାନି । କୋଟି କୋଟି ଟଙ୍କାର ଆର୍ଥିକ ସହଯୋଗ ଓ କୋଟି କୋଟି ସଦ୍ଦିଛା‌ ଶେଷରେ ହତାଶରେ ପରିଣତ ହେଲା। ଭଗବାନ ଶୁଣିଲେ, ପୁଣି ଶୁଣିଲେ ନାହିଁ। ଦୀର୍ଘ ୧୪୧ ଦିନ ଧରି ଏକ୍‌ମୋରେ ରହି ଚିକିତ୍ସିତ ହେଲେ ଓ ଜୀବନମରଣ ସହ ସଂଗ୍ରାମ କଲେ । କିନ୍ତୁ ଶେଷରେ ଅମ୍ରିତ ପ୍ରଧାନଙ୍କୁ ଭଗବାନ ତାଙ୍କ ପାଖକୁ ଡାକି ନେଇଛନ୍ତି । ଗତକାଲି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଛନ୍ତି । ଫୁସ୍‌ଫୁସ୍ ପ୍ରତିରୋପଣ ସଫଳ ହୋଇଥିବା ସତ୍ତ୍ବେ ତାଙ୍କୁ ଡାକ୍ତର ବଞ୍ଚାଇବା ସମ୍ଭବ ହୋଇନାହିଁ। ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

ଗତ ଅକ୍ଟୋବର ୨୩ରେ ଏକ୍‌ମୋରେ ଥାଇ ଅମ୍ରିତ୍‌ଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ କରାଯାଇଥିଲା । ଏହା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିଲା । କିନ୍ତୁ ହଠାତ୍ ୩ଦିନ ତଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଥିଲା। ପ୍ରତିରୋପଣ ହୋଇଥିବା ଫୁସ୍‌ଫୁସ୍ ଉନ୍ନତି କରୁଥିଲା। କିନ୍ତୁ ଅଚାନକ ଭାବେ ହୃତ୍‌ପିଣ୍ଡରେ ବ୍ଲକେଜ୍ ଦେଖାଗଲା । ସେଥିପାଇଁ ଡାକ୍ତରମାନେ ଚିକିତ୍ସା ଜାରି ରଖିଥିଲେ। କିନ୍ତୁ ଶେଷରେ ସମସ୍ତେ ହାରିଗଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଆଜି ସବୁମହଲରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ, ଅମ୍ରିତ୍ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିଲେ। କରୋନା ଯୋଗୁଁ ତାଙ୍କୁ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିଲା ଓ ତୁରନ୍ତ ତାଙ୍କୁ ଏକ୍‌ମୋରେ ରଖିବା ଆବଶ୍ୟକ ହୋଇଥିଲା। କିନ୍ତୁ ସେତେବେଳେ ଏମ୍‌ସରେ ଏକ୍‌ମୋ ଚିକିତ୍ସା ବ୍ୟବସ୍ଥା ନଥିଲା। ତେଣୁ ତାଙ୍କୁ ଚେନ୍ନାଇ ନେବାକୁ ପଡ଼ିଥିଲା। ମାତ୍ର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମିଲାପ୍‌ ଫଣ୍ଡ ରେଜର୍‌ ଦ୍ବାରା ପରିବାର ଲୋକେ ସହଯୋଗ ମାଗିଥିଲେ ।

ବଡ଼ କଥା ହେଉଛି, ଅମ୍ରିତ୍‌ଙ୍କ ପାଇଁ ମିଲାପ ଫଣ୍ଡ୍‌ ରେଜର ମାଧ୍ୟମରେ ୧ କୋଟି ୧୩ଲକ୍ଷ ୭୯୧ଟଙ୍କା ମିଳିଥିଲା ଓ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୧୪ଲକ୍ଷ ଟଙ୍କା ମିଳିଥିଲା । ଏୟାର୍‌ଲିଫ୍‌ଟ କରି ତାଙ୍କୁ ଚେନ୍ନାଇ ନିଆଯାଇଥିଲା । ଜୁନ୍‌ ୩ରୁ ସେ ଚେନ୍ନାଇ ଆପୋଲୋରେ ଚିକିତ୍ସିତ ହେଉଥିଲେ । ସେଠାରେ ଫୁସ୍‌ଫୁସ୍‌ ପ୍ରତିରୋପଣ ହେବା ପରେ ଅମ୍ରିତ୍ ବଞ୍ଚିଯିବେ ବୋଲି ବହୁ ଆଶା କରାଯାଇଥିଲା। ମାତ୍ର ବିଧିର ବିଧାନ ଥିଲା ଭିନ୍ନ। ତାଙ୍କ ଦାଦା ସତ୍ୟନାରାୟଣ ପ୍ରଧାନ ଆଜି ତାଙ୍କ ମୃତ୍ୟୁ ସୂଚନା ଦେଇଛନ୍ତି ।