ଅମ୍ରିତ ଆଉ ନାହାଁନ୍ତି । ବଞ୍ଚାଇ ପାରିଲାନି ବ୍ୟୟବହୁଳ ଅପରେସନ । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ।

Advertisment
ଅମ୍ରିତ ଆଉ ନାହାଁନ୍ତି । ବଞ୍ଚାଇ ପାରିଲାନି ବ୍ୟୟବହୁଳ ଅପରେସନ । ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ।

କନକ ବ୍ୟୁରୋ: ଡାକ ଶୁଣିଲେନି ଈଶ୍ୱର, ବଞ୍ଚାଇ ପାରିଲେନି ଦ୍ବିତୀୟ ଭଗବାନ। ସବୁ ଚେଷ୍ଟା, ସବୁ ପ୍ରୟାସ ପରେ ବି ଆଖି ବୁଜି ଦେଲେ ଅମ୍ରିତ। ମୃତ୍ୟୁ ସହ ଲଢେଇ କରି କରି ଶେଷରେ ଜୀବନର ଯୁଦ୍ଧରେ ପରାଜିତ ହେଲେ। ନା ଜିତିଲା କୋଟି କୋଟି ଲୋକଙ୍କ ପ୍ରାର୍ଥନା, ନା ବଞ୍ଚାଇ ପାରିଲା ଗୁରୁଜନଙ୍କ ଆଶୀର୍ବାଦ। ସତରେ କେଡେ ନିଷ୍ଠୁର ଏ ଠାକୁର ? ଗୋଟେ ଭେଣ୍ଡିଆ ପୁଅକୁ ଛଡେଇ ନେଇ ମାଆର କୋଳଶୂନ୍ୟ କରିଦେଲେ , ବେସାହାର ବାପାର ବିଶ୍ୱାସ ଭାଙ୍ଗିଦେଲେ, ଭଉଣୀକୁ ଭାରାକ୍ରାନ୍ତ ଦୋଛକିରେ ଛିଡା କରିଦେଗଲେ। ଜିତିଗଲା ଯମ, ହାରିଗଲେ ଅମ୍ରିତ । ହସ୍ପିଟାଲ ବେଡରେ ଛ ମାସ ଛଟପଟ ହୋଇ ଶେଷରେ ଛାଡି ଚାଲିଗଲେ। ଆଉ ମୃତ୍ୟୁର ଉପତ୍ୟକାରେ ସବୁଦିନ ଲାଗି ସରିଗଲା ଜୀବନ ପାଇଁ ଅମ୍ରିତଙ୍କ ସଙ୍ଘର୍ଷ।

ବଞ୍ଚାଇ ପାରିଲାନି ବ୍ୟୟ ବହୁଳ ଅପରେସନ। ୧୯୬ ଦିନ ମୃତ୍ୟୁ ସହ ସଂଗ୍ରାମ କରି ବିଦାୟ ନେଇଛନ୍ତି ୨୪ ବର୍ଷର ଯୁବକ ଅମ୍ରିତ ପ୍ରଧାନ। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି । ନିକଟରେ ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ ହୋଇଥିଲା, ଇକମୋ ଚିକିତ୍ସା ଏବଂ ଫୁସଫୁସ ପ୍ରତିରୋପଣରେ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ ପରେ ବି ଅମ୍ରିତଙ୍କ ଆୟୁଷକୁ ନା ଆୟତ୍ତ କରିହେଲା ନା ତାଙ୍କୁ ବଞ୍ଚାଇହେଲା। ମଙ୍ଗଳବାର ରାତିରେ ଶେଷ ନିଶ୍ଵାସ ତ୍ୟାଗ କରି ଆରପାରିକୁ ଚାଲି ଯାଇଛନ୍ତି ଅମ୍ରିତ ।

ତେବେ କରୋନାରେ ଆକ୍ରାନ୍ତ ହେବା ପରେ ଅମ୍ରିତଙ୍କୁ ଜୁନ ୩ ତାରିଖରେ ଏୟାରଲିଫ୍ଟ କରାଯାଇଥିଲା। ଗୁରୁତର ଅବସ୍ଥାରେ ଭୁବନେଶ୍ୱରରୁ ଅମ୍ରିତଙ୍କୁ ଚେନ୍ନାଇକୁ ଏୟାର ଆମ୍ବୁଲାନ୍ସରେ ନିଆଯାଇଥିଲା। ଗ୍ରୀନ କରିଡର କରି ଯେତେବେଳେ ଅମ୍ରତିଙ୍କୁ ଚେନ୍ନାଇ ନିଆଗଲା ସେତେବେଳେ ଅମ୍ରିତଙ୍କ ଆୟୁଷ ପାଇଁ ପ୍ରାର୍ଥନା କରିଥିଲେ ସମସ୍ତେ। ବ୍ୟୟ ବହୁଳ ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରିବାକୁ ହାତ ଯୋଡ଼ି ଥିଲା ପରିବାର। ଆଉ ତାପରେ ଅର୍ଥ ସଂଗ୍ରହ ପାଇଁ ନିଆଯାଇଥିଲା ‘ମିଲାପ’ର ସହଯୋଗ ।

ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଦୀର୍ଘ ଦିନ ଧରି ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଅମ୍ରିତଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର ବି କରାଯାଇଥିଲା। ଏହାପରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ଫଳରେ ସେ ଠାର ମାଧ୍ୟମରେ କଥାବାର୍ତ୍ତା ବି କରିପାରୁଥିଲେ। କିନ୍ତୁ ଫୁସଫୁସରେ କୌଣସି ପ୍ରକାର ଉନ୍ନତି ଦେଖା ଦେଉନଥିଲା। ତେଣୁ ହସ୍ପିଟାଲ ପକ୍ଷରୁ ଫୁସଫୁସ୍ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଉ ଅକ୍ଟୋବର ମାସରେ ଫୁସଫୁସ ପ୍ରତିରୋପଣ ବି ହୋଇଥିଲା ।

ପୂର୍ବରୁ ଭାଇର ଚିକିତ୍ସା ପାଇଁ ତାଙ୍କ ଭଉଣୀ ମନୀଷା ଓ ସାଙ୍ଗମାନେ ମିଲାପ ଆପ ମାଧ୍ୟମରେ ଫଣ୍ଡ ରେଜିଂ କରି ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥି‌ଲେ। ଆଉ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ସହାୟତାର ହାତ ଲମ୍ବିଥିଲା। ଗତ ମାସ ମଧ୍ୟ ତାଙ୍କ ମାଆ ପୁଅର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ଅସହାୟ ମାଆର ସେ ନିବେଦନ କେହି ଶୁଣି ପାରିଲେନି। ନା ସରକାର ନା ସର୍ବ ଶକ୍ତିମାନ ଈଶ୍ୱର ? ବିଶ୍ବାସ ବିଜ୍ଞାନର ମଝି ବାଟରୁ ବିଦାୟ ନେଲେ ଜଣେ ଜୀବନ ଫେରି ପାଇବାର ଆଶା ରଖିଥିବା ଯୁବକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe