କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହେଲାଣି ୯୧ ଲକ୍ଷ ଟଙ୍କା । ଚିକିତ୍ସା ବାବଦକୁ ଆବଶ୍ୟକ ଆଉ ୬୦ ଲକ୍ଷ, ସହଯୋଗର ହାତ ବଢାଇଲା ସଙ୍ଗୀତ ଜଗତ ।

277

କନକ ବ୍ୟୁରୋ : ଚେନ୍ନାଇ ଆପୋଲୋରେ ଚିକିତ୍ସିତ ଅମ୍ରିତ ପ୍ରଧାନଙ୍କ ପ୍ରତି ବଢିବାରେ ଲାଗିଛି ସହାୟତା । କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଅମ୍ରିତଙ୍କ ପାଇଁ ଯୋଗାଡ ହୋଇ ସାରିଲାଣି ୯୧ ଲକ୍ଷ ଟଙ୍କା । ମିଲାପ ଫଣ୍ଡ ଜରିଆରେ ୩୬ ଘଂଟା ଭିତରେ ଆଉ ୧୬ ଲକ୍ଷ ଟଙ୍କା ମିଳିପାରିଛି । ୧ ହଜାର ୫୮୦ ଜଣ ଅଜଣା ବ୍ୟକ୍ତି ଏହି ଆର୍ଥିକ ସହାୟତା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ କ୍ରାଉଡ ଫଣ୍ଡିଂ ଜରିଆରେ ଅମ୍ରିତଙ୍କ ଚିକିତ୍ସା ପାଇଁ ପ୍ରାୟ ୯୧ ଲକ୍ଷରୁ ଅଧିକ ଟଙ୍କା ଯୋଗାଡ ହୋଇସାରିଛି । ୨୪ ବର୍ଷୀୟ ଏହି ଯୁବକଙ୍କୁ ବଂଚାଇବା ପାଇଁ ସମସ୍ତେ ଲାଗିପଡିଛନ୍ତି । ହେଲେ ତାଙ୍କ ଚିକିତ୍ସା ପାଇଁ ଦେଢକୋଟିରୁ ଅଧିକ ଟଙ୍କା ଦରକାର । ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ଏମ୍ସରୁ ଚେନ୍ନାଇ ଆପୋଲୋକୁ ନିଆଯାଇ ସେଠାରେ ତାଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଛି । ଅର୍ଥାତ ଗଳା ନିକଟରେ ଏକ କଣା କରାଯାଇ ପାଇପ ଜରିଆରେ ଫୁସଫୁସକୁ ଅକ୍ସିଜେନ୍ ଯୋଗାଣ ହେଉଛି ।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲେ ମଧ୍ୟ ଗୁରୁତର ଅଛନ୍ତି ଏବଂ ଇସିଏମଓ ମେସିନ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ରହିଛନ୍ତି । ଫୁସଫୁସ ଅଧିକ ସଂକ୍ରମିତ ହୋଇଥିବାରୁ ପ୍ରାୟ ୨ ସପ୍ତାହ ନିରୀକ୍ଷଣରେ ରଖାଯିବ । ଏହାପରେ ଫୁସଫୁସ ପ୍ରତିରୋପଣ କଥା ବିଚାର କରିପାରନ୍ତି ଡାକ୍ତରୀ ଦଳ । ଏପଟେ ସହଯୋଗର ହାତ ବଢାଇଲା ସଂଗୀତ ଜଗତ । ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଓ କଣ୍ଠଶିଳ୍ପୀ ସ୍ୱୟଂ ପ୍ରକାଶ ପାଢୀ ସହାୟତା ପାଇଁ ନିବେଦନ କରିଛନ୍ତି ।