କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ସବୁ ମନ୍ତ୍ରୀ ବି ଦେଲେ ଇସ୍ତଫା । କ୍ୟାପଟେନ ଅମରିନ୍ଦର କହିଲେ ଏମିତି କଥା ।

264

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂ । ଆଉ ଏହାସହ ପଞ୍ଜାବରେ ପଲିଟିକ୍ସରେ ବଡ ଧରଣର ହଲଚଲ ଆରମ୍ଭ ହୋଇଛି । ଅମରିନ୍ଦରଙ୍କ ସହ ପୂରା ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ଦେଇଛନ୍ତି । ସବୁଠୁ ବଡ କଥା ହେଲା ଅମରିନ୍ଦରଙ୍କ ସହ ୨୦ ବିଧାୟକ ମଧ୍ୟ ରାଜ୍ୟପାଳଙ୍କ ପାଖକୁ ଯାଇଥିଲେ । ତେଣୁ ଆଗକୁ ପଞ୍ଜାବ ରାଜନୀତି କେଉଁ ମୋଡ ନେବ ତାହା ସବୁଠୁ ବଡ ପ୍ରଶ୍ନ ପାଲଟିଛି । ଯେହେତୁ ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି ତେଣୁ ଏଭଳି ସ୍ଥଳେ ଏତେ କମ ସମୟ ପାଇଁ କିଏ ମୁଖ୍ୟମନ୍ତ୍ରୀ  ଆସନରେ ବସିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସନ୍ଧ୍ୟାରେ ବସିବାକୁ ଥିବା କଂଗ୍ରେସର ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ । ତେବେ ଅମରିନ୍ଦରଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧୁଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ତେବେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ବଡ ବୟାନ ରଖିଛନ୍ତି ଅମରିନ୍ଦର ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଅମରିନ୍ଦର । ଯେଉଁଥିରେ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି, ଗତ କିଛି ମାସ ମଧ୍ୟରେ ୩ ଥର କଂଗ୍ରେସର ବିଧାୟକ ଦଳ ବୈଠକ ବସିଲାଣି । ଯାହା ମୋତେ ବେଶ ଅପମାନିତ କରିଛି । ଏପରିକି ଦଳର ଶୀର୍ଷ ନେତୃତ୍ୱଙ୍କ ଭରସା ଉପରେ ନଥିଲା ଭଳି ଲାଗୁଥିଲା । ତେଣୁ ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଫୋନ କରି ଇସ୍ତଫା ଦେବା କଥା କହିଥିଲି । ଏବେ ଯାହା ଉପରେ ଭରସା ଅଛି ଦଳ ତାକୁ ମୁଖ୍ୟମନ୍ତ୍ରୀ କରୁ । ଏଥିରେ ମୋର କୌଣସି ଆପତ୍ତି ନାହିଁ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ମଧ୍ୟ ମୁଁ କଂଗ୍ରେସ ଦଳରେ ରହିଛି । ତେବେ ଆଗାମୀ ଭବିଷ୍ୟତକୁ ନେଇ ବିକଳ୍ପ ରହିଛି । ମୋ ସମର୍ଥକ ଓ ଲୋକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଅମରିନ୍ଦର । ଠିକ୍ ସମୟ ଆସିଲେ ନିଷ୍ପତ୍ତି ନେବି । ସାଢେ ୯ ବର୍ଷ ମୁଖ୍ୟମନ୍ତ୍ରୀ ରହିଛି ।

ଅମରିନ୍ଦରଙ୍କ ଇସ୍ତଫା ପରେ ପଞ୍ଜାବ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । କାରଣ ଆଉ ୫ ମାସ ପରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଅମରିନ୍ଦରଙ୍କ ପରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ସନ୍ଧ୍ୟାରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି, ଯେଉଁଥିରେ ବିଧାୟକ ଦଳ ନେତାଙ୍କ ନାଁରେ ମୋହର ମାରିପାରେ କଂଗ୍ରେସ ।