ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅମ୍ଫାନ: ୬ ଘଣ୍ଟା ଭିତରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ; ଓଡିଶା ଉପକୂଳରେ ଆଜି ଓ କାଲି ପ୍ରବଳ ବର୍ଷା ହେବ: ପ୍ରଥମେ ଜଗତସିଂହପୁର ପରେ କେନ୍ଦ୍ରାପଡାରେ ପ୍ରଭାବ ପଡିବ

4,442

କନକ ବ୍ୟୁରୋ: ଧୀରେ ଧୀରେ ଦୁର୍ବଳ ହେଉଛି ଅମ୍ଫାନ । ୬ଘଂଟା ଭିତରେ ଏହା ସମୁଦ୍ର ମଧ୍ୟରେ ଏକ୍ସଟ୍ରିମଲି ସାଇକ୍ଲୋନର ରୂପ ନେଇ ସାରିଛି । ପାରାଦୀପଠାରୁ ୫ଶହ ୨୦ କିଲୋମିଟର ଦକ୍ଷିଣରେ ସମୁଦ୍ର ଭିତରେ ରହିଛି ବାତ୍ୟା । ଘଂଟା ପ୍ରତି ୧୪ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଆଡକୁ ଅଗ୍ରସର ହେଉଛି । ବାତ୍ୟା କେନ୍ଦ୍ର ଓଡିଶାର ପାରାଦୀପର ଦକ୍ଷିଣ ଦିଗରେ ପ୍ରାୟ ୫ଶହ ୨୦ କିଲୋମିଟର ଏବଂ ପଶ୍ଚିମ ବଙ୍ଗ ଦିଘାର ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ୬୭୦ କିଲୋମିଟର ଦୂରରେ ରହିଛି ।

ଏହି ବାତ୍ୟା ଆସନ୍ତା ୨୦ ତାରିଖରେ ପଶ୍ଚିମବଙ୍ଗର ଦିଘାରୁ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନରେ ଭୁଖଣ୍ଡକୁ ଛୁଇଁବ ବୋଲି ଆକଳନ କରାଯାଇଛି । ଏହାର ପ୍ରଭାବ ଓଡିଶା ଉପକୂଳ, ପଶ୍ଚିମ ବଙ୍ଗ ଓ ବାଂଲାଦେଶରେ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ବାତ୍ୟା ଅମ୍ଫାନ ଯୋଗୁଁ ମୁଖ୍ୟତଃ ପଶ୍ଚିମବଙ୍ଗର ଦକ୍ଷିଣ ଓ ଉତର ୨୪ ପ୍ରଗଣା, ପୂର୍ବ ମେଦିନାପୁର ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସମ୍ଭାବନା ରହିଛି । ଅନ୍ୟପଟେ ଏହାର ପ୍ରଭାବ ଓଡିଶା ଉପକୂଳରେ ପଡିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଓଡିଶାରେ ପଶ୍ଚିମବଙ୍ଗ ତୁଳନାରେ କମ କ୍ଷୟକ୍ଷତି ହେବ ବୋଲି ଆକଳନ କରିଛି ଆଇଏମଡି ।

ଅମ୍ଫାନ ପ୍ରଭାବରେ ଓଡିଶା ଉପକୂଳରେ ଆଜି ଓ କାଲି ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଜଗତସିଂହପୁର, କେନ୍ଦ୍ରାପଡାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବଂ ତାପରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବର୍ଷା ହେବ । ତେବେ ବାଲେଶ୍ୱର ଓ ଭଦ୍ରକରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦେଇ ଏହିସବୁ ଉପକୂଳ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ରାଜ୍ୟରେ ଆଜି ପାଗ ବଦଳିଛି । ଝିପିଝିପି ବର୍ଷା ସାଙ୍ଗକୁ ପାଗ କୋହଲା ରହିଛି । ହାଲୁକା ପବନ ବି ବହୁଛି ।