ମମତା ମାଗିଲେ ସେନା । ଅମ୍ପାନର ତାଣ୍ଡବଲୀଳା ପରେ ରାଜ୍ୟର ପୁନରୁଦ୍ଧାର ପାଇଁ ସେନାର ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡିଶା ମୁଣ୍ଡୁଳିରୁ ଗଲା ୧୦ଟି ଏନଡିଆରଏଫ ଟିମ୍

623

କନକ ବ୍ୟୁରୋ: ସେନା ମାଗିଲେ ମମତା । ଅମ୍ଫାନ ଉଜାଡି ଦେବା ପରେ ପଶ୍ଚିମବଙ୍ଗ ସଜାଡିବାକୁ ସେନା ସହାୟତା ଲୋଡିଲେ ଦିଦି । ବାତ୍ୟା ବିଧ୍ବସ୍ତ ପଶ୍ଚିମବଙ୍ଗ ଲାଗି ସେନା, ରେଳବାଇ, ବନ୍ଦର ଓ ଘରୋଇ ସଂସ୍ଥାମାନଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗର ୨୪ ପ୍ରଗଣା, କୋଲକତା ଆଦି ମୋଟ ୬ଟି ଜିଲ୍ଲାରେ ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି । ଲୋକଙ୍କ ପାଖରେ ଏବେ ବି ସହାୟତା ପହଞ୍ଚିନାହିଁ କିନ୍ତୁ ରିଲିଫ ଓ ଥଇଥାନ ପାଇଁ ଅଧିକ ଲୋକ ଓ ସମ୍ବଳର ଅଭାବ ଦେଖାଦେଇଛି । ଏଥିପାଇଁ ସେନାର ସହାୟତା ମାଗିଛନ୍ତି ଦିଦି ।

ସହାୟତା ସଂପର୍କରେ ଟ୍ବିଟ କରି ଜଣାଇଛି ପଶ୍ଚିମବଙ୍ଗ ଗୃହ ବିଭାଗ । ଭିତ୍ତିଭୂମି ମରାମତି, ବିଜୁଳି ସେବାକୁ ସ୍ବାଭାବିକ କରିବା, ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବା ପାଇଁ ନିବେଦନ କରିଛି ବିଭାଗ । ଏସିଡିଆରଏଫ, ଏନଡିଆରଏଫକୁ ଅତିରିକ୍ତ ଟିମ ପଠାଇବା ପାଇଁ କୁହାଯାଇଛି ।  ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ ପରେ ଭାରତୀୟ ସେନା ୫ କଲମ ଯବାନ ପଠାଇଛି । ଗୋଟିଏ କଲମରେ ୩୫ ଜଣ ଯବାନ ଥାଆନ୍ତି । ଏହି ଯବାନମାନେ କୋଲକତା ନଗର ପ୍ରଶାସନକୁ ରିଲିଫ ଓ ସହାୟତା କାର୍ୟ୍ୟରେ ସହାୟତା କରିବେ ।

ସେହିପରି ଏନଡିଆରଏଫ୍ ପଶ୍ଚିମବଙ୍ଗକୁ ଆଉ ୧୦ଟି ଟିମ ପଠାଇଛି । ଓଡ଼ିଶାର ମୁଣ୍ଡୁଳିରୁ ଏନଡିଆରଏଫ୍  ବଟାଲିୟନରୁ ଏହି ୧୦ଟି ଟିମ ଯାଇଛି । ପୂର୍ବରୁ ପଶ୍ଚିମବଙ୍ଗରେ ୨୬ଟି ଏନଡିଆରଏଫ ଟିମ ରିଲିଫ ଓ ସହାୟତା କାର୍ୟ୍ୟରେ ନିୟୋଜିତ ଅଛନ୍ତି । ଆଉ ୧୦ଟି ଟିମ ଗଲା ପରେ ପଶ୍ଚିମବଙ୍ଗରେ ଏବେ ମୋଟ ୩୬ଟି ଏନଡିଆରଏଫ ଟିମ ନିୟୋଜିତ ଅଛନ୍ତି । ସେହିପରି ଓଡ଼ିଶା ସରକାର ମଧ୍ୟ ସହାୟତାର ହାତ ବଢାଇଛନ୍ତି ।

ତେବେ ସହାୟତା ଲୋଡିବା ପରେ ସହାୟତା ପାଇଁ ପହଞ୍ଚିଛି ସେନା । ପଶ୍ଚିମବଙ୍ଗକୁ ସେନା ପଠାଇଲେ କେନ୍ଦ୍ର ସରକାର । ଅମ୍ପାନ ବାତ୍ୟା ପରେ ରାଜ୍ୟର ପୁନରୁଦ୍ଧାର ପାଇଁ ସେନାର ସହାୟତା ଲୋଡିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ତେବେ ତାଙ୍କର ଅନୁରୋଧକୁ ରକ୍ଷା କରି ତୁରନ୍ତ ପଶ୍ଚିମବଙ୍ଗର ପୁନରୁଦ୍ଧାର ପାଇଁ ସେନା ପଠାଇଛନ୍ତି କେନ୍ଦ୍ର ସରକାର ।