ରାଜ୍ୟରେ ବଢିଛି ଜବତ ବ୍ରାଉନସୁଗାରର ପରିମାଣ : ରାଜ୍ୟରୁ ଏହାର ମୂଳୋତ୍ପାଟନ ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ? ଗୃହରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ

62

କନକ ବ୍ୟୁରୋ : ବିଗତ ଦୁଇ ବର୍ଷରେ ରାଜ୍ୟରେ କେତେ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଏବଂ ରାଜ୍ୟରୁ ବ୍ରାଉନସୁଗାର ମୂଳୋତ୍ପାଟନ ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି । ଗୃହରେ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟରେ ବିଗତ ଦୁଇ ବର୍ଷରେ ଯେତେ ପରିମାଣର ବ୍ରାଉନସୁଗାର ଜବତ ହୋଇଛି  ତାହାର ବିବରଣୀ ପ୍ରଦାନ କରିଛନ୍ତି ।

୨୦୧୯ – ୫୬୧୦.୦୧୪ ଗ୍ରାମ

୨୦୨୦ – ୩୯୪୫୨.୩୫୮ଗ୍ରାମ

୨୦୨୧(୩୦.୧୦.୨୦୨୧) ସୁଦ୍ଧା – ୪୫୨୮୨.୧୦୬ ଗ୍ରାମ

ଏଥିସହିତ ରାଜ୍ୟରୁ ବ୍ରାଉନସୁଗାର ମୂଳୋତ୍ପାଟନ ପାଇଁ ପଦକ୍ଷେପ : –

– ସନ୍ଦିଗ୍ଧ ସ୍ଥାନମାନଙ୍କରେ ଅବକାରୀ ଓ ପୋଲିସ ବିଭାଗ ଦ୍ୱାରା ଚଢାଉ କରାଯାଇ ଏନଡିପିଏସ ଆଇନର ଖିଲାପ କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ ମୋକଦ୍ଦମା ରୁଜୁ କରାଯାଇଛି ।

– କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ତଥା ରାଜ୍ୟ ସ୍ତରୀୟ ଅବକାରୀ ଗୋଇନ୍ଦା ସଂସ୍ଥା ଚୋରା ବ୍ରାଉନସୁଗାର କାରବାର ଓ ବିକ୍ରୟ ଉପରେ ତଥ୍ୟ ସଂଗ୍ରହ କରି ଏହାକୁ ପ୍ରତିହତ କରିବା ପାଇଁ ଚଢାଉ ଜାରି ରଖିଛନ୍ତି ।

– ରାଜ୍ୟ ବାହାରୁ ଯେପରି ଚୋରା ବ୍ରାଉନସୁଗାର ନ ଆସିବ ସେଥିପ୍ରତି ଦୃଷ୍ଟି ଦିଆଯାଇ ରାଜ୍ୟର ସୀମାନ୍ତ ଚେକ୍ ଗେଟ୍ ଅଞ୍ଚଳରେ ଅବକାରୀ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି ।

– ବେଆଇନ ବ୍ରାଉନସୁଗାର ମହଜୁଦ ଓ ବିକ୍ରି ହେଉଥିବା ସ୍ଥାନମାନଙ୍କରେ ତଥ୍ୟ ସଂଗ୍ରହ କରାଯାଇ ପୋଲିସ ବିଭାଗର ସହାୟତାରେ ସେ ସବୁ ସ୍ଥାନମାନଙ୍କରେ ଚଢାଉ କାର୍ଯ୍ୟ କରାଯାଉଛି ।

– ଚୋରା ବ୍ରାଉନସୁଗାର ବିରୁଦ୍ଧରେ ଜନମତ ସୃଷ୍ଟି କରାଯାଉଛି ।

– ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧୀନରେ ଏମଡିଏସ ଗଠନ କରାଯାଇ ଅବକାରୀ ଚଢାଉ ଜାରି ରହିଛି ।

– ସରକାରଙ୍କ ଦ୍ୱାରା ରିୱାଡ୍ ପଲିସି ମାଧ୍ୟମରେ ବ୍ରାଉନସୁଗାର କାରବାର ସମ୍ବନ୍ଧରେ ତଥ୍ୟ ପ୍ରଦାନକାରୀ ବ୍ୟକ୍ତି ଏବଂ ଜବତ କରୁଥିବା ଅଧିକାରୀଙ୍କୁ ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଛି ।

– ଏନସିବି, ଏସଟିଏଫ୍ ଏବଂ ଅବକାରୀ ବିଭାଗ ଦ୍ୱାରା ବ୍ରାଉନସୁଗାର ଅବୈଧ କାରବାରକୁ ପ୍ରତିହତ କରିବା ପାଇଁ ତୀକ୍ଷ୍ଣ ନଜର ରଖାଯାଇଛି ।