ଆପଣଙ୍କ ଫୋନ ଉପରେ ଅଧିକ ରହିପାରେ ପେଗାସସ ସ୍ପାଏ-ୱେରର ନିୟନ୍ତ୍ରଣ : ଫୋନରେ ଆପଣ କିଛି ନକଲେ ବି ସବୁ ତଥ୍ୟକୁ କରିପାରିବ ହ୍ୟାକ୍

360

କନକ ବ୍ୟୁରୋ : ପେଗାସସ୍ ସ୍ପାଏ ୱେରରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଆପଣଙ୍କ ଫୋନକୁ ଏହି ସଫ୍ଟୱେୟାର କେତେ ମାତ୍ରାରେ ନିୟନ୍ତ୍ରଣ କରିପାରିବ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଇସ୍ରାଏଲ କଂପାନୀ ଦ୍ୱାରା ତିଆରି ହୋଇଥିବା ଏହି ସ୍ପାଏ ସଫ୍ଟୱେୟାର ଯଦି ଆପଣଙ୍କ ଫୋନକୁ ଟାର୍ଗେଟ୍ କରେ, ତେବେ ଆପଣ ଫୋନରେ କ୍ଲିକ୍ ନକଲେ ବି , ଆପଣଙ୍କ ଅଜାଣତରେ ଫୋନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ପାରିବ ହ୍ୟାକର । ଏହାକୁ ଜିରୋ କ୍ଲିକ୍ ଆଟାକ୍ ବୋଲି କୁହାଯାଉଛି । ପୃଥିବୀରେ ଏହା ସବୁଠାରୁ ଶକ୍ତିଶାଳୀ ସ୍ପାଏ ସଫ୍ଟୱେୟାର ବୋଲି କୁହାଯାଉଛି ।

ଥରେ ଆପଣଙ୍କ ଫୋନ୍ ଟାର୍ଗେଟ୍ ହୋଇଗଲେ , ଆପଣ ଆପଣଙ୍କ ଫୋନକୁ ନିୟନ୍ତ୍ରଣ କରିବା କିଂବା ସ୍ପାଏକୁ ମୁକ୍ତ କରିବା କିଂବା ତାକୁ ଚିହ୍ନଟ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର । ଏମନେଷ୍ଟି ଇଂଟରନ୍ୟାସନାଲର ଏକ ପରୀକ୍ଷାଗାରର ମୁଖ୍ୟ କହିଛନ୍ତି , ଫୋନର ମାଲିକ ଅପେକ୍ଷା ହ୍ୟାକରର ନିୟନ୍ତ୍ରଣ ଅଧିକ ରହିବ । ଚିନ୍ତା କରନ୍ତୁ ଏହା କେତେ ବିପଦ ପୂର୍ଣ୍ଣ ସ୍ପାଏ ସଫ୍ଟଓୟାର ହୋଇପାରେ । ଏହି ସଫ୍ଟୱେୟାର ମାଧ୍ୟମରେ ହ୍ୟାକର ଜଣକ ଆପଣଙ୍କ ମେସେଜ୍ ଲିଷ୍ଟ, ଇଂଟରନେଟ୍ ବ୍ରାଉଜିଂ ହିଷ୍ଟ୍ରି, ଫଟୋ ଓ ଭିଡିଓ ଗ୍ୟାଲେରୀ, ଚାଟିଂ ହିଷ୍ଟ୍ରି, ସବୁ କିଛି ଅତି ସହଜରେ ପାଇଯାଇପାରିବ ।

ଏପରିକି ଆପଣଙ୍କ ଅଜାଣତରେ, ଆପଣଙ୍କ ଫୋନ୍ ଅନ୍ ବି ନଥିବ, ଆପଣଙ୍କ ଫୋନ୍ ଅଫ୍ ଲାଇନରେ ଥିବ, ତଥାପି ଆପଣଙ୍କ ଭିଡିଓ ନେଉଥିବ, ଆପଣଙ୍କ କଥାକୁ ରେକର୍ଡ କରୁଥିବ, ଆପଣଙ୍କ ସମସ୍ତ ଗତିବିଧିକୁ ନିରୀକ୍ଷଣ କରୁଥିବ ହ୍ୟାକର । ଫୋନ୍ ମାଧ୍ୟମରେ ଆପଣ କରୁଥିବା ନେଟ୍ ବ୍ୟାଙ୍କିଙ୍ଗ, କିଂବା ଫୋନ୍ ପେ କିଂବା ଗୁଗୁଲ ପେ’ ମାଧ୍ୟମରେ କରୁଥିବା ଟଙ୍କା କାରବାରକୁ ବି ଠାବ କରିପାରିବ ହ୍ୟାକର । ଏବଂ ଆପଣଙ୍କର ପାସୱାର୍ଡ ବି ସେ ସହଜରେ ପାଇଯାଇ ପାରିବ ।

ସବୁଠାରୁ ନିରାପଦ କୁହାଯାଉଥିବା ଆଇଫୋନକୁ ମଧ୍ୟ ଏହି ସଫ୍ଟଓୟାର ଅତି ସହଜରେ ଅତି ମୂଳ ପର୍ଯ୍ୟନ୍ତ ଯାଇ ହ୍ୟାକ୍ କରିପାରିବ । ଆଇଫୋନରେ ଆପଣ କୌଣସି ଆକ୍ଟିଭିଟି କରୁନଥିଲେ ବି ଆପଣଙ୍କ ଫୋନ୍ ଭିତରେ ଏହି ସଫ୍ଟୱେୟାର ସକ୍ରିୟ ରହି ସବୁ କାମ କରୁଥିବ । ମୋଟ୍ ଉପରେ କହିବାକୁ ଗଲେ ଏକ ଚଳନ୍ତା ସିସିଟିଭି ପରି ଏହି ସଫ୍ଟୱେୟାର କାମ କରିପାରିବ ।