ପରୀକ୍ଷା କିଏ ଦେବ, ଅମିତ ନା ଅମିତାଭ ବଚ୍ଚନ ! ଆଡମିଟ୍ କାର୍ଡରେ ରହିଲା ‘ବିଗ୍ ବି’ଙ୍କ ଫଟୋ, ଚକିତ ହେଲେ ପରୀକ୍ଷାର୍ଥୀ ।

31

ଉତ୍ତରପ୍ରଦେଶ ଫେଜାବାଦର ଡାକ୍ଟର ରାମ ମନୋହର ଲୋହିୟା ଅବଧ ବିଶ୍ୱବିଦ୍ୟାଳୟର ଅନିୟମିତତାର ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ବିଇଡିର ଜଣେ ଛାତ୍ରଙ୍କ ଆଡମିଟ୍ କାର୍ଡରେ ତାଙ୍କ ଫଟୋ ପରିବର୍ତ୍ତେ ଅମିତାଭ ବଚ୍ଚନଙ୍କ ଫଟୋ ଲଗାଯାଇଛି । ଗୋଣ୍ଡାର ରବିନ୍ଦ୍ର ସିଂହ ସ୍ମାରକ କଲେଜର ଛାତ୍ର ଅମିତ ଦ୍ୱିବେଦୀ କହିଛନ୍ତି ଯେ, ସେ ବିଇଡିର ଦ୍ୱିତୀୟ ବର୍ଷ ପରୀକ୍ଷା ପାଇଁ ଫର୍ମ ଭରିଥିଲେ । ଏବଂ ସେହି ଫର୍ମରେ ସେ ତାଙ୍କ ଫଟୋ ମଧ୍ୟ ଲଗାଇଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ଆଡମିଟ କାର୍ଡ ମିଳିଲା, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାହିଁକି ସେଥିରେ ଅମିତଙ୍କ ନାଁ ଥିଲା ସତ କିନ୍ତୁ ଫଟୋ ଲାଗିଥିଲା ଅମିତାଭ ବଚ୍ଚନଙ୍କର ।

ଏହା ପରେ ନିଜ ପରିଚୟ ସହ ଯୋଡି ହୋଇଥିବା ଅନ୍ୟ ଦସ୍ତାବିଜ ଦେବା ପରେ ସେ ଦ୍ୱିତୀୟ ବର୍ଷର ପରୀକ୍ଷା ଦେଇପାରିଥିଲେ । କିନ୍ତୁ ଏବେବେ ସେ ଚିନ୍ତାରେ ଥିବା କହିଛନ୍ତି । କାରଣ ତାଙ୍କ ମାର୍କସିଟରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଫଟୋ ହୁଏତ ରହିଥିବ । ତେବେ ଏନେଇ ସଫେଇ ଦେଇଛନ୍ତି କଲେଜ କତ୍ତୃପକ୍ଷ । କୁହାଯାଉଛି ଏଥିପାଇଁ ହୁଏତ ଇଣ୍ଟରନେଟ୍ କ୍ୟାଫେ ଦାୟୀ ହୋଇଥାଇପାରେ । ଯେଉଁଠାରୁ ଅମିତ ନିଜ ପରୀକ୍ଷା ପାଇଁ ଫର୍ମ ଭରିଥିଲେ । କଲେଜର କହିବା ଅନୁଯାୟୀ, ଛାତ୍ର ଜଣଙ୍କ ଯେଉଁ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ, ଉକ୍ତ କଲେଜର ଅଧ୍ୟକ୍ଷଙ୍କୁ ଏନେଇ ଅବଗତ କରାଯାଇଛି । ଏବଂ ମାର୍କସିଟରେ କୌଣସି ତ୍ରୁଟି ରହିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।