ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ ଫାଲକେ ପୁରସ୍କାର : ରାଷ୍ଟ୍ରପତିଙ୍କ ହାତରୁ ଦାଦା ସାହେବ ପୁରସ୍କାର ଗ୍ରହଣ କଲେ ବିଗ୍ ବି ।

135

ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଅଭିନେତା ତଥା ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ବିଗ-ବି ଅମିତାଭ ବଚ୍ଚନଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତର ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ୧୯୬୯ ମସିହାରୁ ଭାରତୀୟ ଚଳଚ୍ଚିତ୍ର ଜଗତର ଜନକ ଧୁଣ୍ଡିରାଜ ଗୋବିନ୍ଦ ଫାଲକେଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଭାରତୀୟ ଚଳଚ୍ଚିତ୍ରର ବିକାଶ ଏବଂ ଅଭିବୃଦ୍ଧି ଦିଗରେ ନିଜର ସର୍ବଶ୍ରେଷ୍ଠ ଅବଦାନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି । ପୁରସ୍କାର ବାବଦରେ ଶ୍ରୀ ବଚ୍ଚନଙ୍କୁ ୧୦ଲକ୍ଷ ଟଙ୍କା ଏବଂ ଏକ ସ୍ୱର୍ଣ୍ଣ କମଳ ପ୍ରଦାନ କରାଯାଇଛି ।

କିଏ ତାଙ୍କୁ କହେ ବିଗ୍-ବି, କିଏ କହେ ମହାନାୟକ, ପୁଣି କିଏ କହେ ଶହେନସାହ । କିନ୍ତୁ ପ୍ରକୃତରେ ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ଅଭିନେତା ଅମିତାଭ ବଚ୍ଚନ । ବୟସ ୭୬ ବର୍ଷ । ତଥାପି ସକ୍ରିୟ, ଅଭିନୟ, ବିଜ୍ଞାପନ ଓ ଉପସ୍ଥାପନା । ସବୁ କ୍ଷେତ୍ରରେ ନିଜର ନିଆରା ଓ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦୀର୍ଘ ପାଞ୍ଚ ଦଶନ୍ଧୀ ଧରି ୧୯୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୧୯୬୯ ରେ ‘ସାତ ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ରରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ୧୯୭୧ ରେ ବାସ୍ତବଧର୍ମୀ ଚଳଚ୍ଚିତ୍ର ‘ଆନନ୍ଦ’ରେ ଜୀବନ୍ତ ଅଭିନୟ ଏବଂ ‘ବମ୍ବେ ଟୁ ଗୋଆ’ ଭିନ୍ନ ଚରିତ୍ର ତାଙ୍କୁ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିଥିଲା। ଏହି ଶାନ୍ତ ଓ କୋମଳ ନାୟକ ପରେ ‘ଜଞ୍ଜିର’ରେ ପାଲଟି ଗଲେ ଆଙ୍ଗ୍ରି ୟଙ୍ଗମ୍ୟାନ। ଏହାପରେ ମେଗା ହିଟ୍ ଫିଲ୍ମ ‘ଦିୱାର’, ‘ଅଗ୍ନିପଥ’, ’ତ୍ରିଶୁଲ’,‘କାଲାପଥର’ ଓ ବ୍ଲକ ବଷ୍ଟର ‘ଶୋଲେ’। ପରେ ପରେ ‘ସିଲସିଲା’, ‘ସତ୍ତେ ପେ ସତ୍ତା ’,ଏବଂ ‘ନମକ ହଲାଲ’ ତାଙ୍କୁ ଭିନ୍ନ ଧରଣର ନାୟକ ଭାବେ ସିନେମା ଜଗତରେ ପରିଚିତ କରାଇଲା। ଅମିତାଭଙ୍କ ପାଖରେ କଳାର ନବରସ ଭରପୁର ହୋଇ ରହିଛି। ୨୦୧୩ରେ ସେ ବଲିଉଡ ଫିଲ୍ମ ‘ଦ ଗ୍ରେଟ ଗଟସାବ’ରେ ଅଭିନୟ କରିଥିଲେ। ତାଙ୍କୁ ଘରେ ଘରେ ପରିଚିତ କରାଇଲା ‘କୌନ ବନେଗା କରୋଡପତି’ରିୟଲିଟି ଶୋ’।