କନକ ବ୍ୟୁରୋ: ଝିଅ ଶ୍ୱେତା ବଚ୍ଚନଙ୍କୁ ଦାମୀ ଉପହାର ଦେଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ମୁମ୍ବାଇ ଜୁହୁରେ ଥିବା ଚର୍ଚ୍ଚିତ ବଙ୍ଗଳା ‘ପ୍ରତୀକ୍ଷା’କୁ ଝିଅ ଶ୍ୱେତାଙ୍କ ନାଁରେ ଲେଖିଦେଇଛନ୍ତି । ନଭେମ୍ବର ୮ ତାରିଖରେ ଦୁହିଁଙ୍କ ମଧ୍ୟରେ ଏହାର ଆଇନଗତ ପ୍ରକିୟା ସରିଛି । ଏହି ବଙ୍ଗଳାର ମୂଲ୍ୟ ୫୦ କୋଟି ୬୩ ଲକ୍ଷ । ଏହାକୁ ଦୁଇଟି ପ୍ଲଟରେ ଭାଗ କରାଯାଇଛି । ଏବେ ଦୁଇଟିଯାକ ପ୍ଲଟରେ ଥିବା ବଙ୍ଗଳାର ମାଲିକାଣୀ ଶ୍ୱେତା ବଚ୍ଚନ ।

ପ୍ରତୀକ୍ଷା ବ୍ୟତୀତ ଜୁହୁରେ ଅମିତାଭଙ୍କର ଆଉ ଦୁଇଟି ବଡ ବଙ୍ଗଳା ରହିଛି, ଜଲସା ଓ ଜନକ । ଅମିତାଭ ଓ ଜୟା ବଚ୍ଚନ ଏବେ ଜଲସାରେ ରହୁଛନ୍ତି । ଏହା ବ୍ୟତୀତ ମଧ୍ୟ ଦୁହିଁଙ୍କର ମୁମ୍ବାଇର ବିଭିନ୍ନ ସ୍ଥାନରେ ଏକାଧିକ ଘର ରହିଛି । ତେବେ ପୂର୍ବରୁ ‘ବିଗ୍ ବସ୍’ ଶୋ’ରେ ଏନେଇ ଇସାରା ଦେଇଥିଲେ । କହିଥିଲେ ତାଙ୍କର ଯାହା ବି ସ୍ଥାବର , ଅସ୍ଥାବର ସମ୍ପତ୍ତି ଅଛି ସେ ସବୁକୁ ସେ ନିଜ ମୃତ୍ୟୁ ପୂର୍ବରୁ ଦୁଇ ପୁଅ ଝିଅଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିଦେବାକୁ ଚାହିଁବେ ।