ବିଗ୍ ବିଙ୍କୁ ଫିଲ୍ମ ଜଗତର ବଡ ସମ୍ମାନ: ‘ଦାଦାସାହେବ ଫାଲକେ’ ସମ୍ମାନ ପାଇବେ ଅମିତାଭ ବଚ୍ଚନ

ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

185

କନକ ବ୍ୟୁରୋ: ବିଗ୍ ବି’ଙ୍କୁ ମିଳିବ ଫିଲ୍ମ ଜଗତର ସବୁଠୁ ବଡ ସମ୍ମାନ । ଅମିତାଭ ବଚ୍ଚନକୁ ଚଳିତ ବର୍ଷର ସମ୍ମାନଜନକ ଦାଦା ସାହେବ ଫାଲକେ ପାଇଁ ମନୋନୀତ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଦୁଇ ପିଢିକୁ ମନୋରଂଜନ କରି ଆସୁଥିବା ଅମିତାଭ ବଚ୍ଚନଙ୍କୁ ସର୍ବସମ୍ମତିରେ ଦାଦା ସାହେବ ଫାଲକେ ସମ୍ମାନ ପାଇଁ ମନୋନୀତ କରାଯାଇଛି । ଏହାକୁ ନେଇ ଜାତୀୟ ଓ ବିଶ୍ୱ ସମୁଦାୟ ଖୁସି ଏବଂ ତାଙ୍କୁ ଅଭିନନ୍ଦନ ।

ଫିଲ୍ମ ଜଗତରେ ଅର୍ଧଶତାବ୍ଦୀ ପୂରଣ କରିସାରିଥିବା ଏହି ବର୍ଷିଆନ କଳାକାର ଆଜି ମଧ୍ୟ ବଡ ପରଦାରେ ସକ୍ରୀୟ ଅଛନ୍ତି । ଫିଲ୍ମ ଜଗତକୁ ନିଜର ଅବଦାନ ପାଇଁ ସେ ପୂର୍ବରୁ ୧୯୮୪ରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ଓ ୨୦୧୫ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି । ଏହି ସବୁ ପୁରସ୍କାର ବ୍ୟତୀତ ଶ୍ରେଷ୍ଠ ଅଭିନେତା ଭାବେ ୪ ଥର ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି ଏବଂ ବହୁ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହୋଇଛନ୍ତି । ୧୯୬୯ରେ ଅମିତାଭ ବଚ୍ଚନ ସାତ୍ ହିନ୍ଦୁସ୍ତାନୀ ଫିଲ୍ମ ମାଧ୍ୟମରେ ବଡ ପରଦାକୁ ଆସିଥିଲେ ।

ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନବାଗତ ଅଭିନେତା ଭାବେ ଜାତୀୟ ପୁରସ୍କାର ହାସଲ କରିଥିଲେ । ଆସନ୍ତା ଅକ୍ଟୋବର ୨ ତାରିଖରେ ତାଙ୍କ ଅଭିନୀତ ବହୁଭାଷୀ ଫିଲ୍ମ ସୈରା ନରସିଂହା ରେଡି ରିଲିଜ୍ ହେବ । ଏହା ଛଡା ଛୋଟ ପରଦାରେ କୌନ ବନେଗା କରୋଡ ପତି କ୍ୱିଜ୍ ପ୍ରୋଗ୍ରାମ ସବୁଠୁ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମର ମାନ୍ୟତା ପାଇ ଆସୁଛି ।