ବଚ୍ଚନ ପରିବାରରେ କରୋନା ପ୍ରବେଶ : ଅମିତାଭଙ୍କ ପରିବାର ଓ ଷ୍ଟାଫଙ୍କ ବି ହେଲା ନମୁନା ପରୀକ୍ଷା ; ଜୟା ଓ ଐଶ୍ୱର୍ଯ୍ୟାଙ୍କ ରିପୋର୍ଟ ନେଗେଟିଭ , ଅନ୍ୟମାନଙ୍କ ରିପୋର୍ଟକୁ ଅପେକ୍ଷା

796

କରୋନା ଆକ୍ରାନ୍ତ ବଲିଉଡ୍ ବିଗ୍ ବି ଅମିତାଭ ବଚନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତାଙ୍କୁ ଏବେ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଏନେଇ ସୂଚନା ଜାରି କରିଛି ନାନାବତୀ ହସ୍ପିଟାଲ । ଡାକ୍ତରଖାନାର ଏପରି ସୂଚନା ପରେ ବିଗ୍ ବିଙ୍କ ଫ୍ୟାନଙ୍କ ପାଇଁ ଟିକେ ଆଶ୍ୱସ୍ତିର ଖବର ଆସିଛି । ଗତକାଲି ଅମିତାଭଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ସେ ଟୁଇଟ୍ କରି ଜଣାଇଥିଲେ । ଟେଷ୍ଟ ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଛି । ଅମିତାଭଙ୍କ ପରି ତାଙ୍କର ପୁଅ ଅଭିଷେକ ବଚ୍ଚନଙ୍କୁ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଅଭିଷେକ ମଧ୍ୟ ଟୁଇଟରେ ଜଣାଇଛନ୍ତି କି ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଅମିତାଭ ଏବଂ ଅଭିଷେକଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି । ଉଭୟଙ୍କ ନିକଟରେ କୋଭିଡର ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ପାଖରେ ଅଳ୍ପ ଜ୍ୱରର ଲକ୍ଷଣ ପକାଶ ପାଇଥିବା ସୂଚନା ମିଳିଛି । ଦୁଇ ଜଣଯାଙ୍କର ଆଂଟିଜେନ ଟେଷ୍ଟ କରାଯିବା ପରେ କୋଭିଡ୍ ଥିବା ଜଣାପଡ଼ିଥିଲା । ସବୁଠାରୁ ଚିନ୍ତାଜନକ କଥା ହେଉଛି ମୁମ୍ୱାଇର ଯେଉଁ ଅଂଚଳରେ ଅମିତାଭଙ୍କ ବାସଭବନ ରହିଛି ସେହି ଅଂଚଳରୁ କେବଳ ୫ ହଜାର ୩ ଶହ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୩ ହଜାର ୬୧୪ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏହି ଅଂଚଳରେ କରୋନା ଆକ୍ଟିଭ୍ ସଂଖ୍ୟା ୧ ହଜାର ୧୪୫ ରହିଛନ୍ତି ।

ତେବେ ବଚ୍ଚନ ପରିବାରର ଅନ୍ୟ ତିନି ସଦସ୍ୟ ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ବିଗ ବିଙ୍କ ପୁରା ପରିବାର ଓ ଷ୍ଟାଫଙ୍କ କରୋନା ଟେଷ୍ଟ ହୋଇଛି । ତେବେ ଘରର ଅନ୍ୟ ସଦସ୍ୟ ଓ ଷ୍ଟାଫଙ୍କ ରିପୋର୍ଟ ଆସିବା ବାକି ରହିଛି । ଖୁବଶୀଘ୍ର ସେମାନଙ୍କ ରିପୋର୍ଟ ବି ଆସିବ ବୋଲି ଜଣାପଡିଛି । ବଚ୍ଚନ ପରିବାର ସଦସ୍ୟଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଅମିତାଭଙ୍କ ଘର ଜଲସାକୁ ଆଜି ସାନିଟାଇଜ୍ କରାଯିବ ବୋଲି ଜଣାପଡିଛି ।