‘ଦି ୱେର’ ୱେବ୍ ସାଇଟ୍ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ଅମିତ ଶାହାଙ୍କ ପୁଅ !

25

କନକ ବ୍ୟୁରୋ : ଦି ୱେର ୱେବ ସାଇଟ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ଜୟ ଶାହା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ କମ୍ପାନିକୁ ନେଇ ବିବାଦୀୟ ଖବର ପ୍ରକାଶ କରିଥିଲା ୱେବ ସାଇଟ । କିଭଳି ଅସ୍ୱଭାବିକ ଭାବେ କମ୍ପାନିର ବ୍ୟବସାୟିକ କାରବାର ବୃଦ୍ଧି ପାଇଲା ତାକୁ ନେଇ ପ୍ରଶ୍ନ ଉଠାଇଥିଲା ୱେବ ସାଇଟ । ୨୦୧୪-୧୫ରେ ମାତ୍ର ୧୫ ହଜାର ଟଙ୍କାର ବ୍ୟବସାୟିକ କାରବାର କରୁଥିବା ସଂସ୍ଥା ଗୋଟିଏ ବର୍ଷ ଭିତରେ କିଭଳି ୮୦ କୋଟିରେ ପହଂଚିଲା ବୋଲି ପ୍ରଶ୍ନ କରିଥିଲା ୱେବ୍ ସାଇଟ୍ ।

ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଜୟ ଶାହା । ୱେବ ସାଇଟରେ ପ୍ରକାଶ ପାଇଥିବା ତଥ୍ୟ ଭିତିହୀନ ଓ ଅଭିଯୋଗ ଅମୂଳକ ବୋଲି ସେ ସଫେଇ ରଖିଥିଲେ । ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପୁଅ ପାଇଁ ଏକ ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । ବିଜେପିର କୌଣସି ନେତା କିମ୍ବା ତାଙ୍କ ପରିବାର କୌଣସି ବେଆଇନ କାରବାରରେ ସଂପୃକ୍ତ ନାହାନ୍ତି ବୋଲି ସେ ସଫେଇ ରଖିଥିବାବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି ଆସିଥିବା ଅଭିଯୋଗର ତଦନ୍ତ ହେଉ ।