କନକ ବ୍ୟୁରୋ: କନକ ନ୍ୟୁଜକୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହାଙ୍କ ମେଗା ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ । କଟକରେ ରୋଡ୍ ସୋ’ କରିବା ସମୟରେ କନକ ନ୍ୟୁଜକୁ ସାକ୍ଷାତକାର ଦେଇ ଅମିତ ଶାହା କହିଛନ୍ତି, ଏଥର ଓଡିଶାରେ ବିଜେପି ସରକାର ହେଉଛି । ଓଡିଶାବାସୀ ସ୍ଥିର କରିସାରିଛନ୍ତି, ଏଥର ବିଜେପିର ପାଳି ।

Advertisment

କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଶାହା କହିଛନ୍ତି, “ମୁଁ ଏବେ ଆସ୍କା ଯାଇ ଆସିଲି । ଆମ ପାଇଁ ଆସ୍କା ଦୁର୍ବଳ ସିଟ୍ ବୋଲି କହୁଛନ୍ତି । ହେଲେ ନବୀନ ବାବୁଙ୍କ ଜିଲ୍ଲାରେ କିନ୍ତୁ ୭୦ରୁ ୮୦ ହଜାର ଲୋକ ୪ ଘଣ୍ଟା ଧରି ଅପେକ୍ଷା କରିଥିଲେ । ଉପକୂଳଠୁ ଆରମ୍ଭ କରି ଆଦିବାସୀ ଅଞ୍ଚଳ ସବୁଠି ଓଡିଶାରେ ଭାରତୀୟ ଜନତା ପାର୍ଟିର ଲହର ବୋହୁଛି । ଏଥର ଓଡିଶାରେ ବିଜେପି ସରକାର ବନିବାକୁ ଯାଉଛି ।”

ଶାହା କହିଛନ୍ତି ଯେ, ଓଡିଆ ସଂସ୍କୃତିକୁ ପୁଣି ସମ୍ମାନ ଦେବାକୁ ଅଛି । ଚାଷୀଙ୍କ ଧାନ ମଧ୍ୟ ୩୧୦୦ ଟଙ୍କାରେ କିଣିବାକୁ ଅଛି । ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଏବଂ ପ୍ରତି ବୁଣାକାରଙ୍କୁ ୩ ହଜାର ଟଙ୍କା ଦେବାକୁ ଆମେ ପ୍ରତିଶ୍ରୁତି ଦେଇଛୁ । ଏଥିସହ ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶାହା କହିଛନ୍ତି, ଆମେ କେବେ ବି ବିଜେଡି ସହ ନିର୍ବାଚନ ଲଢିନୁ । ହେଲେ ନବୀନ ବାବୁ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛନ୍ତି, ଏଥିପାଇଁ ତାଙ୍କୁ ଧନ୍ୟବାଦ । ଆଜି ସ୍ଥିତି ଏମିତି ହେଇଛି ଯେ, ଭର୍ତ୍ତୁହରି ମହତାବଙ୍କ ଭଳି ବରିଷ୍ଠ ନେତା ଓଡିଆ ଗୌରବ ପାଇଁ ଏତେ ବର୍ଷର ସମ୍ପର୍କ ଛାଡି ବିଜେପିରେ ସାମିଲ ହେଇଛନ୍ତି । ଏଇଥିରୁ ହିଁ ଜଣାପଡୁଛି ଯେ, ଓଡିଶାର ଜନତା ସ୍ଥିର କରିସାରିଛନ୍ତି, ଏଥର ବିଜେପିର ପାଳି ।

ଅନ୍ୟପଟେ ବିଜେପିର ଫୋକସ୍ ଏଥର ସାଂସଦଙ୍କଠୁ ଅଧିକ ବିଧାନସଭା ଉପରେ ରହିଛି । ଦିଲ୍ଲୀ ଏବଂ ଓଡିଶାରେ ବିଜେପି ସରକାର ହିଁ ଆମର ପ୍ରାଥମିକତା ବୋଲି କହିଛନ୍ତି ଶାହା । ସୂଚନାଯୋଗ୍ୟ ଯେ, ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଅମିତ ଶାହା । ଆଜି ପ୍ରଥମେ ଆସ୍କାରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏହାପରେ ସେ କଟକରେ ରୋଡ୍ ସୋ କରୁଛନ୍ତି ।