କନକବ୍ୟୁରୋ : ଓଡ଼ିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଂଟା ଭିଡ଼ିଛନ୍ତି ତିନି ରାଜନୈତିକ ଦଳ । ସମ୍ବଲପୁର, ଆସ୍କା, କନ୍ଧମାଳ, ବରଗଡ଼, ସୁନ୍ଦରଗଡ଼ରେ ପଡ଼ିବ ମତଦାନ । ଏହା ପୂର୍ବରୁ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ହେଭିୱେଟ୍ ନେତା । ବଡ଼ କଥା ହେଉଛି, ଗୋଟିଏ ଦିନରେ ବିଜେପି ଓ ବିଜେଡିର ଦୁଇ ଶୀର୍ଷ ନେତାଙ୍କ ପ୍ରଚାରରେ ଉଠିବ ପଡ଼ିବ ପ୍ରଚାର ମଇଦାନ । କାଲି ଓଡ଼ିଶା ଗସ୍ତରେ ଗୃହମନ୍ତ୍ରୀ ଅମିତ୍ ଶାହ ଆସୁଥିବା ବେଳେ ସମ୍ବଲପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିପରି କଂଗ୍ରେସର ମନୋବଳ ବଢ଼ାଇବା ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଆସୁଛନ୍ତି ଓଡ଼ିଶା ।

Advertisment

ନିର୍ବାଚନୀ ମାହୋଲ ଭିତରେ ତିନି ରାଜନୈତିକ ଦଳର ଏହି ବଡ଼ ଚେହେରା ଯେତେବେଳେ ମଇଦାନକୁ ଓହ୍ଲାଇବେ, ସେତେବେଳର ଦୃଶ୍ୟ ବେଶ୍ ରୋଚକ ରହିବ । ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ କଂଗ୍ରେସକୁ ସଂଜୀବନି ଦେବାକୁ ଆସୁଛନ୍ତି ରାହୁଲ ଗାନ୍ଧୀ । ନିର୍ବାଚନ ଭିତରେ ପୁଣିଥରେ ଓଡ଼ିଶା ଆସୁଛନ୍ତି ବିଜେପିର ଦ୍ୱିତୀୟ ବଡ଼ ଚେହେରା ଅମିତ୍ ଶାହ । ଗସ୍ତରେ ସାମାନ୍ୟ ପରିବର୍ତନ କରାଯାଇଛି । ଓଡ଼ିଶା ଗସ୍ତରେ ଆସ୍କାର ସୋରଡା ଓ ବୌଦ୍ଧରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ବଡ଼ କଥା ହେଉଛି, ସନ୍ଧ୍ୟାରେ କଟକରେ ଏକ ବିଶାଳ ରୋଡ୍ ସୋ’ କରିବେ ଗୃହମନ୍ତ୍ରୀ ।

ରାଜ୍ୟ ରାଜନୀତିର ସବୁଠାରୁ ବଡ଼ ପଲିଟିକାଲ ହଟ୍ସ୍ପଟ ହେଉଛି ସମ୍ବଲପୁର । ସମୟ ଗଡୁଥିବା ସହିତ ବବି ଓ ଧର୍ମେନ୍ଦ୍ରଙ୍କ ଟକ୍କର ଜୋରଦାର ହେଉଛି । ଆଉ ଏହି ଆର୍ପାରର ଲଢ଼େଇ ଭିତରେ ବବିଙ୍କ ପାଇଁ ପ୍ରଚାର ମଙ୍ଗ ଧରିବେ ନବୀନ । ଆସନ୍ତାକାଲି ସମ୍ବଲପୁର ସଂସଦୀୟ କ୍ଷେତ୍ର ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ବିଶାଳ ଜନସଭା କରିବେ ବିଜେଡି ସୁପ୍ରିମୋ । ନବୀନଙ୍କ ମାରାଥନ ପ୍ରଚାର ପ୍ରଣବଙ୍କ ପାଇଁ ସଂଜୀବନୀ ହେବ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ରାଉରକେଲାରେ ମଧ୍ୟ ନବୀନଙ୍କର ଆଉଏକ କାର୍ଯ୍ୟକ୍ରମ ରହିଛି । ସେପଟେ କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ କାଲି ବଲାଙ୍ଗିରରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ରାହୁଲ ଗାନ୍ଧୀ । ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ରାହୁଲ । ଏହାପରେ ସିଧା ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ୪୫ ମିନିଟ୍ ଧରି ସାଧାରଣ ସଭାରେ ରହିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୦ରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ପୂର୍ବରୁ ୧୭ରେ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଘଡଗେ ଓଡିଶା ଆସୁଛନ୍ତି ।