କନକ ବ୍ୟୁରୋ: ନିର୍ବାଚନ ପାଇଁ ପ୍ରଚାର ଜମିଲାଣି । ଷ୍ଟାର ପ୍ରଚାରକ ତାଲିକା ବି ପ୍ରକାଶ ପାଇଲାଣି । କିନ୍ତୁ ସବୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନଥିବାରୁ ପ୍ରଚାର ଯେମିତି ହେବା କଥା ସେମିତି ହୋଇପାରନି । ହେଲେ, ଏଥର ଓଡିଶାରୁ ୨୦୧୯ ତୁଳନାରେ ଅଧିକ ଲୋକସଭା ଆସନ ଦଖଲ କରିବା ଲକ୍ଷ୍ୟରେ ରହିଛି ବିଜେପି । ସେଥିପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଓଡିଶାରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ରଣନୀତି କରିଛି ଭାରତୀୟ ଜନତା ପାର୍ଟି ।

ଓଡିଶାରେ ବିଜେଡି-ବିଜେପି ଲଢ଼େଇ କେମିତି ହେବ? ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ ନା ଜୋରଦାର ଲଢ଼େଇ ହେବ? ଏହାକୁ ନେଇ ଚର୍ଚ୍ଚା ଭିତରେ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି ବିଜେପିର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି, ଏପ୍ରିଲ ୨୫ ତାରିଖରେ ସୋନପୁର ଗସ୍ତରେ ଆସି ପ୍ରଚାର କରିବେ । ଅପରାହ୍ନରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ ଶାହ ।

ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ୱରରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ । ଶାହାଙ୍କ ଗସ୍ତ ସୂଚନା ମିଳିବା ପରେ ଉତ୍ସାହିତ ରାଜ୍ୟ ବିଜେପି ନେତା ଓ କର୍ମୀ । ତେବେ ରାଜ୍ୟ ସରକାର ଓ ନବୀନ ପଟ୍ଟନାୟକଙ୍କୁ ନେଇ ଶାହାଙ୍କ ଆଭିମୁଖ୍ୟ କଣ ରହିବ, ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ, ଯଦି ଶାହ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରନ୍ତି, ତାହେଲେ, ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ଜୋଶ୍ ବଢ଼ିବ । ନିର୍ବାଚନରେ ଲଢ଼ିବା ପାଇଁ ମନୋବଳ ବଢ଼ିବ ।

ଅମିତ୍ ଶାହାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସଭାପତି ଜେପି ନଡ୍ଡା ଓ ଉତ୍ତରପ୍ର୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡିଶା ଆସିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲେଶ୍ୱରରୁ ତାଙ୍କ ଓଡିଶାରେ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡିଛି ।